fbpx

PM ମୋଦୀଙ୍କୁ ବିପକ୍ଷ ଦଳର ୯ ନେତାଙ୍କ ଖୋଲା ଚିଠି: CBI ଓ EDର ଦୂରୁପଯୋଗ ନେଇ ଆସିଲା ଅଭିଯୋଗ

ନୂଆଦିଲ୍ଲୀ: ନିକଟରେ ଦେଶର ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ସରିଥିବା ବେଳେ ଆଗକୁ ପୁଣି କିଛି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ କମ୍ ସମୟ ରହିଥିବା ବେଳେ ଏବେ ଦେଶର ରାଜନୈତିକ ମହଲ ଚଳଚଞ୍ଚଳ ହୋଇଉଠିଛି । ତେବେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଏକ ବଡ଼ ଘଟଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ବିପକ୍ଷ ଦଳର ୯ ଜଣ ନେତା ଖୋଲା ଚିଠି ଦେଇଛନ୍ତି ।

ସୂଚନା ମୁତାବକ, ବିରୋଧୀ ଦଳର ୯ ଜଣ ନେତା ମୋଦୀଙ୍କୁ ପଠାଇଥିବା ଚିଠିରେ ଏକ ବଡ଼ ଅଭିଯୋଗ କରିଛନ୍ତି । କେନ୍ଦ୍ରୀୟ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଦୂରୁପଯୋଗ କରାଯାଉଛି । ସେଥିପାଇଁ ଏହି ନେତାମାନେ ବିଜେପି ସରକାରକୁ ନିନ୍ଦା କରିଛନ୍ତି । ଉକ୍ତ ଚିଠିରେ ଅସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି । ବିରୋଧୀ ଦଳର ଯେଉଁ ନେତାମାନେ ବିଜେପିରେ ସାମିଲ ହେଉଛନ୍ତି ସେମାନଙ୍କ ବିରୋଧରେ ଦୁର୍ନୀତି ସମ୍ବନ୍ଧୀୟ ତଦନ୍ତ ଶିଥିଳ ପଡ଼ିଯାଉଥିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି ।

ଗତ ମାସ ୨୬ ତାରିଖରେ ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ଦିଲ୍ଲୀ ଡେପୁଟି ସିଏମ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ମାତ୍ର ଗିରଫ ସମୟରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ଦେଖା ଯାଇନଥିଲା । ୨୦୧୪ ପରେ ଯେଉଁ ସବୁ ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିପକ୍ଷ ପାର୍ଟିର ଅଟନ୍ତି ।

ତେବେ ମୋଦୀଙ୍କୁ ଚିଠି ଲେଖିଥିବା ନେତାଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ, ବିହାର ଡେପୁଟି ସିଏମ ତେଜସ୍ୱୀ ଯାଦବ, ଏନସିପି ମୁଖ୍ୟ ଶରଦ ପାୱାରର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଜମମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ରହିଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଚଳିତ ମାସ ପ୍ରାରମ୍ଭରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ଏଭଳି ସମାନ ଅଭିଯୋଗ ଆଣିଥିଲେ ।

Get real time updates directly on you device, subscribe now.