fbpx

ବଢ଼ୁଛି ଜିକା ଭାଇରସ୍‌ ଆତଙ୍କ, ୟୁପିରେ ସଂକ୍ରମିତଙ୍କ ସଂଖ୍ୟା ୯୦ ଟପିଲା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଆତଙ୍କ ଭଳି ଏବେ ଦେଶରେ ମଶାଙ୍କଠାରୁ ବ୍ୟାପୁଥିବା ଜିକା ଭାଇରସ୍‌ ବ୍ୟାପିବାର ଆତଙ୍କ ଦେଖାଦେଇଛି । ଖାସ୍‌ କରି ଉତ୍ତରପ୍ରଦେଶର କାନପୁରରେ ବଢ଼ୁଛି ଜିକା ଭାଇରସ ମାମଲା । ରବିବାର ଆଉ ୧୦ ଜଣ ପଜିଟିଭ୍‌ ଚିହ୍ନଟ ହେବା ଫଳରେ ଉତ୍ତରପ୍ରଦେଶରେ ଜିକା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୯୦ ଟପିଛି । ଜିକା ଭାଇରସ୍‌ ମାମଲା ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ସମୀକ୍ଷା କରିଥିଲେ । ଏହି ଅବସରରେ ସେ ସାନିଟାଇଜେସନ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପୂର୍ବରୁ ଯୋଗୀ ଆଦିତ୍ୟନାଥ ସ୍ୱାସ୍ଥ୍ୟ ବିଭାଗକୁ ପରିସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅକ୍ଟୋବର ୨୩ରେ କାନପୁରରେ ପ୍ରଥମ ଜିକା ଭାଇରସ କେସ୍‌ ଚିହ୍ନଟ ହୋଇଥିଲା । ଭାରତୀୟ ବାୟୁସେନାର ଜଣେ ୱାରେଣ୍ଟ ଅଫିସର ଏହି ଜିକା ଭାଇରସରେ ଆକ୍ରାନ୍ତ ହୋଇଥିଲେ । ସଂକ୍ରମଣକୁ ରୋକିବାକୁ ସ୍ୱାସ୍ଥ୍ୟ ଟିମ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ସାନିଟାଇଜ୍‌ କାର୍ଯ୍ୟକ୍ରମ କରାଯାଉଛି । ସେହିପରି ଜ୍ୱର ଥିବା ଲୋକଙ୍କୁ ଚିହ୍ନଟ କରି ପରୀକ୍ଷା କରାଯାଉଛି । ସେହିପରି ଗର୍ଭବତୀଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁଯାୟୀ ଜିକା ଜୀବାଣୁ ଏଡିସ୍‌ ମଶା ଦ୍ୱାରା ସଂକ୍ରମିତ ହୁଏ । ଏହି ରୋଗ ପ୍ରଥମେ ୧୯୫୨ମସିହାରେ ଉଗାଣ୍ଡା ଏବଂ ତାଞ୍ଜାନିଆର ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା । ସାମାନ୍ୟ ଜ୍ୱର, ଦେହରେ ଦାଗ, ମାଂସପେଶୀ ଏବଂ ଗଙଋି ଯନ୍ତ୍ରଣା କିମ୍ବା ମୁଣ୍ଡବିନ୍ଧା ଏହି ରୋଗର ଲକ୍ଷଣ ।

Get real time updates directly on you device, subscribe now.