fbpx

ବ୍ୟାଙ୍କକୁ ୯ ହଜାର କୋଟି ସ୍ଥାନାନ୍ତର କଲା ଇଡି: ମାଲ୍ୟା, ମୋଦି ଓ ଚୋକସିଙ୍କ ଠାରୁ ଜବତ ହେଲା ବେଆଇନ୍ ସମ୍ପତ୍ତି

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକସିଙ୍କ ଠାରୁ ବେଆଇନ୍ ସମ୍ପତ୍ତି ଆଦାୟ କରାଯାଇଛି । ଏହି ତିନି ଠକଙ୍କ ଠାରୁ ମୋଟ ୯୩୭୧ କୋଟି ଟଙ୍କା ବିଭିନ୍ନ ରାଜ୍ୟର ବ୍ୟାଙ୍କକୁ ସ୍ଥାନାନ୍ତର ହୋଇଛି । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବ୍ୟାଙ୍କକୁ ୮୪୪୧ କୋଟି ସ୍ଥାନାନ୍ତର କରିଥିଲା । ଏହି ତିନି ଠକ ମୋଟ ୨୨,୫୮୬ କୋଟି ହଡ଼ପ କରିଥିବା ବେଳେ ଇଡି ଏହି ଅର୍ଥର ୮୦ ପ୍ରତିଶତ ଅର୍ଥାତ ୧୮,୧୭୦ କୋଟି ଜବତ କରିଥିବା ନେଇ ପୂର୍ବରୁ ସୂଚନା ଦେଇଥିଲା ।

ଆଜି ଇଡି ବ୍ୟାଙ୍କକୁ ୯୩୭୧ କୋଟି ସ୍ଥାନାନ୍ତର କରିଛି । ଇଡି ପକ୍ଷରୁ କୁହାଯାଇଛି ଯେ, ୩ ଖିଲାପକାରୀଙ୍କର ସମସ୍ତ ଦେଶୀୟ ଓ ଅନ୍ତର୍ଜାତୀୟ ସ୍ତରର ଆର୍ଥିକ କାରବାରକୁ ଷ୍ଟ୍ରେସ୍ କରି ଏହି ଅର୍ଥ ଆଦାୟ କରାଯାଇଛି । ଠକମାନଙ୍କର ପ୍ରତ୍ୟର୍ପଣ ନେଇ ବର୍ତ୍ତମାନ ସେମାନେ ରହୁଥିବା ଦେଶକୁ ଅନୁରୋଧପତ୍ର ପଠାଯାଇଛି । ବର୍ତ୍ତମାନ ମାଲ୍ୟା ଓ ମୋଦି ଲଣ୍ଡନରେ ଅବସ୍ଥାନ କରୁଥିବା ବେଳେ ଚୋକସି ଆଣ୍ଟିଗୁଆ ଓ ବାରବୁଦାରେ ରହୁଥିବା ଜଣାପଡ଼ିଛି ।

ଲଣ୍ଡନ କୋର୍ଟରେ ମାଲ୍ୟା ନିଜ ପକ୍ଷ ରଖିବା ଆବେଦନ ଖାରଜ ହେବା ପରେ ସେ ଭାରତ ଫେରିବା ରାସ୍ତା ପରିଷ୍କାର ହୋଇଯାଇଛି । ଅନ୍ୟପକ୍ଷରେ ମୋଦି ମଧ୍ୟ ଭାରତକୁ ଫେରିବା ନେଇ ସମସ୍ତ ସମସ୍ୟା ଦୂର ହୋଇଛି । ଚୋକସି ଭାରତକୁ ନ ଫେରିବା ପାଇଁ ବର୍ତ୍ତମାନ ଆଣ୍ଟିଗୁଆ କୋର୍ଟରେ ଲଢ଼େଇ ଜାରି ରଖିଛନ୍ତି । ଦେଶର ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) କୋର୍ଟ ମାଲ୍ୟା ଓ ମୋଦିଙ୍କୁ ପଳାତକ ଘୋଷିତ କରିସାରିଛି । ମାଲ୍ୟାଙ୍କ ନାମରେ କିଙ୍ଗଫିସର ଏୟାରଲାଇନ୍ସର ୯ ହଜାର କୋଟି ଠକେଇ ରହିଥିବା ବେଳେ ମୋଦି ଓ ଚୋକସିଙ୍କ ନାମରେ ପଞ୍ଜାବ ନ୍ୟ୍ୟାସନାଲ ବ୍ୟାଙ୍କର ୧୪,୫୦୦ କୋଟି ଠକେଇ ରହିଛି । ମୋଦି ୨୦୧୯ ମସିହା ମାର୍ଚ୍ଚ ୧୯ ତାରିଖରେ ଲଣ୍ଡନରେ ଗିରଫ ହୋଇଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.