ବିଶ୍ୱର ଅନାହାର ମୃତ୍ୟୁ ଘଟୁଥିବା ବେଳେ କେଉଁଠି ଲୋକେ ଅପପୁଷ୍ଟିକର ଶିକାର ହେଉଛନ୍ତି । ଏକ ଆକଳନ ଅନୁଯାୟୀ, ୮୧ କୋଟି ଲୋକ ସେମାନଙ୍କ ପରବର୍ତ୍ତୀ ଭୋଜନ କେଉଁଠି ମିଳିବ, ସେ ବିଷୟରେ ନିଶ୍ଚିତ ନୁହନ୍ତି । ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଖାଦ୍ୟ ସମସ୍ୟା ଯୋଗୁଁ ଏଭଳି ସଙ୍କଟଜନକ ପରସ୍ଥିତି ଉପୁଜୁଛି ।
ତେବେ ଏହି ବୈଶ୍ୱିକ ସମସ୍ୟା କେବଳ ଖାଦ୍ୟ ଅଭାବରୁ ନୁହେଁ । କାରଣ ପୃଥିବୀରେ ବର୍ଷକୁ ସମୁଦାୟ ୯୩୧ ନିୟୁତ ମେଟ୍ରିକ୍ ଟନ୍ ଓଜନର ଖାଦ୍ୟ ନଷ୍ଟ ହେଉଛି । ଏ ପରିପ୍ରେକ୍ଷୀରେ ୫୪ଟି ଦେଶକୁ ସାମିଲ କରି ସଂଗଠିତ ଅନୁଧ୍ୟାନ-୨୦୨୧ର ଖାଦ୍ୟ ନଷ୍ଟ ମାନକ ସାରଣୀ ଅନୁଯାୟୀ, ନଷ୍ଟ ହେଉଥିବା ମୋଟ ଖାଦ୍ୟ ପରିମାଣର ୬୧% ଗୃହମାନଙ୍କରେ ହେଉଛି ।
ସେହିପରି ବିଭିନ୍ନ ହୋଟେଲ, ଭୋଜନାଳୟ ଓ ଅନ୍ୟାନ୍ୟ ଖାଦ୍ୟ ଯୋଗାଣ ସଂସ୍ଥା ଦ୍ୱାରା ୨୬ ପ୍ରତିଶତ ଖାଦ୍ୟ ନଷ୍ଟ ହେଉଥିବା ବେଳେ ବାକି ୧୩ ପ୍ରତିଶତ ଖାଦ୍ୟପଦାର୍ଥ ତେଜରାତି ଦୋକାନମାନଙ୍କରେ ଦେଖାଯାଇଛି ।
ମୋଟାମୋଟି ଭାବେ ବିଶ୍ୱରେ ଉତ୍ପାଦନ ହେଉଥିବା ମୋଟ ଖାଦ୍ୟ ପଦାର୍ଥର ଏକ ତୃତୀୟାଂଶ ବ୍ୟବହାର ପୂର୍ବରୁ ନଷ୍ଟ ହୋଇ ଯାଉଥିବା ଜଣାଯାଇଛି । ଯଦି ଏଥିରେ ସୁଧାର ଆଣି ନଷ୍ଟ ଖାଦ୍ୟଗୁଡ଼ିକର ପୂର୍ଣ୍ଣ ବିନିଯୋଗ ହୋଇପାରନ୍ତା ତେବେ ସେଥିରେ ଆଉ ୨୦୦ କୋଟି ଲୋକ ଉପକୃତ ହୋଇପାରନ୍ତେ ।
ଅପରପକ୍ଷେ, ଏହି ଖାଦ୍ୟ ନଷ୍ଟ ଯୋଗୁଁ ବାର୍ଷିକ ୩୩୦ କୋଟି ଟନ୍ ଅଙ୍ଗାରକାମ୍ଳ ବାଷ୍ପ ଅଯଥାରେ ବାୟୁମଣ୍ଡଳରେ ମିଶୁଛି ଯାହା ବିଶ୍ୱ ତାପମାତ୍ରା ବଢ଼ାଇବାର ଅନ୍ୟତମ କାରଣ ସାଜିଛି । ନିଜର ରୁଚି ଅନୁସାରେ ଖାଦ୍ୟ ଗ୍ରହଣ କରିବା, ସାଇତା ବଳକା ଖାଦ୍ୟକୁ ବ୍ୟବହାର କରିବା ଏବଂ ଆବଶ୍ୟକ ଅନୁଯାୟୀ ବଜାରରୁ ଅଳ୍ପ ଖାଦ୍ୟ ପଦାର୍ଥ କିଣିବା ପରି ଛୋଟ ଛୋଟ ପ୍ରୟାସ ମଧ୍ୟ ଏ ଦିଗରେ ଯଥେଷ୍ଟ ସହାୟକ ହେବ ।