୨୨ ଜିଲ୍ଲାରେ ହେବ ୫୫ ନୂଆ ବସଷ୍ଟାଣ୍ଡ: ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୨୨ଜିଲ୍ଲାରେ ହେବ ବ୍ଲକସ୍ତରୀୟ ବସଷ୍ଟାଣ୍ଡ । ଗୁରୁବାର ଭର୍ଚୁଆଲ ମୋଡରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରାମାଞ୍ଚଳରେ ଯୋଗାଯୋଗକୁ ସୁଗମ କରିବା ରାଜ୍ୟ ସରାକରଙ୍କ ଲକ୍ଷ୍ୟ । ଗ୍ରାମାଞ୍ଚଳର ଉତ୍ତମ ଯୋଗାଯୋଗକୁ ପ୍ରାଥମିକତା ଦେଉଛନ୍ତି ସରକାର । ଏହି ନୂତନ ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳର ଲୋକମାନଙ୍କୁ ଉନ୍ନତ ଯୋଗାଯୋଗ ଭିତ୍ତିଭୂମି ସହ ଯୋଡ଼ିବ ଏବଂ ସେମାନଙ୍କୁ ବହୁ ପରିମାଣରେ ଉପକୃତ କରିବ ଏବଂ ରାଜ୍ୟରେ ଯୋଗାଯୋଗ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ ।

ଏହି ପଦକ୍ଷେପ ପାଇଁ ଓଡିଶା ରାଜ୍ୟ ସଡକ ପରିବହନ ନିଗମକୁ ଧନ୍ୟବାଦ ଜଣାଇ ସେ ଆହୁରି ମଧ୍ୟ କହିଛନ୍ତି ଯେ OSRTC ସମଗ୍ର ରାଜ୍ୟରେ ପହଞ୍ଚିବା ଏବଂ ଭିତ୍ତିଭୂମି ବିକାଶ ତଥା ପ୍ରଭାବଶାଳୀ ଯୋଗାଯୋଗ ନେଟୱାର୍କର ଏକୀକରଣ ମାଧ୍ୟମରେ ଲୋକଙ୍କୁ ସଂଯୋଗ କରିବାରେ ନୂତନ ପଦକ୍ଷେପ ନେଉଛି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଗ୍ରାମାଞ୍ଚଳର ଲୋକଙ୍କୁ ଉନ୍ନତ ଯୋଗାଯୋଗ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଉପରେ ତାଙ୍କ ବିଭାଗ କାମ କରୁଛି ।  ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି କେ ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁ ସୁଦର୍ଶନ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ OSRTC ର CMD ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା କଲେକ୍ଟର ଏବଂ ପରିବହନ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।