fbpx

ଏକାମ୍ରବାସୀଙ୍କ ପାଇଁ ନୂଆବର୍ଷ ଭେଟି: ୧୦୩ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଏକାମ୍ରବାସୀଙ୍କୁ ନୂଆବର୍ଷର ଭେଟି । ଏକାମ୍ରବାସୀ ନିର୍ବାଚନ ମଣ୍ଡଳ ପାଇଁ ୧୦୩ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୁଣା ଭୁବନେଶ୍ୱରରେ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜର ଉଦବୋଧନରେ କହିଛନ୍ତି ଯେ, ‘କେଦାରଗୌରୀ ପୁଷ୍କରିଣୀ ଜଳ ସ୍ୱଚ୍ଛତା ପାଇଁ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । କେଦାରଗୌରୀ ପୁଷ୍କରିଣୀ ଜଳ ସ୍ୱଚ୍ଛତା କଥା ଜାଣି ମୁଁ ବହୁତ ଖୁସି । ବରମୁଣ୍ଡା ଓ ୱାର୍ଡ ନମ୍ବର ୨୪ ଅଞ୍ଚଳ ପାଇଁ ୮ କୋଟି ୯୩ ଲକ୍ଷ ଟଙ୍କା ରହିଛି । ଗଙ୍ଗୁଆ ବାମପାର୍ଶ୍ୱରେ ଦିଆ ରାସ୍ତା ନିର୍ମାଣ ପାଇଁ ୫୨ କୋଟି ଟଙ୍କା, କେଦାରଗୌରୀ ପୁଷ୍କରିଣୀ ଜଳ ନିଷ୍କାସନ ପାଇଁ ବକ୍ସ କଲଭଟ ନିର୍ମାଣ ବାବଦରେ ୬୫ ଲକ୍ଷ ଟଙ୍କା, ଲିଙ୍ଗିପୁରରେ ଭୂତଳ ଜଳଭଣ୍ଡାର ପାଇଁ ୧ କୋଟି ୬୦ ଲକ୍ଷ ମଞ୍ଜୁର କରାଯାଇଛି ।’

ଏହା ସହ ଲିଙ୍ଗରାଜ ଅଞ୍ଚଳର ଲେପ୍ରୋସି କଲୋନୀ ପୁନର୍ବାସ ପାଇଁ ୩ କୋଟି ୯୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଧଉଳି ସ୍ତୁପର ମରାମତି ଓ ପୁନଃନବୀକରଣ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା, ଦୟାନଦୀ ପଶ୍ଚିମଶାଖା କେନାଲରେ ବନ୍ଧ ନିର୍ମାଣ ପାଇଁ ୩୨ ଲକ୍ଷ ୫୬ ହଜାର ଟଙ୍କା, ଦୟାନଦୀ ଦକ୍ଷିଣପାର୍ଶ୍ୱର ଏମ୍ୱାକମେଣ୍ଟର ସୁରକ୍ଷା ପାଇଁ ୧୭ ଲକ୍ଷ ୮୧ ହଜାର ଟଙ୍କା ମଞ୍ଜୁର ହୋଇଛି ବୋଲି ନବୀନ କହିଛନ୍ତି ।

Get real time updates directly on you device, subscribe now.