ଓଡ଼ିଶା ହାଇକୋର୍ଟରେ ‘My Lord’ ବଦଳରେ ‘Sir’ ସମ୍ବୋଧନ କରାଯିବ: ନିର୍ଦ୍ଦେଶ ଦେଲେ ମୁଖ୍ୟ ବିଚାରପତି ଏସ. ମୁରଲୀଧର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ. ମୁରଲୀଧର ନୂଆବର୍ଷରେ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଏଣିକି ହାଇକୋର୍ଟରେ ଆଉ ‘ମାଇଁ ଲର୍ଡ’ ସମ୍ବୋଧନ କରାଯିବ ନାହିଁ । ଏହା ବଦଳରେ ‘ସାର’ ସମ୍ବୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ମୁରଲୀଧର ।

ସୂଚନାଯୋଗ୍ୟ ଯେ, ଗତ ୨୦୨୦ରେ ଶ୍ରୀ ମୁରଲୀଧର ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଦାୟିତ୍ୱ ଗ୍ରହଣ କରିବା ପରେ ଅନୁରୂପ ନିର୍ଦ୍ଦେଶ ଦେଇଥିଲେ । ସେ ‘ମାଇଁ ଲର୍ଡ’, ‘ୟୋର ଲର୍ଡସିପ’ ସମ୍ବୋଧନରୁ ବିରତ ରହିବା ପାଇଁ କହିଥିଲେ । ଏହା ପୂର୍ବରୁ ମଧ୍ୟ ଶ୍ରୀ ମୁରଲୀଧର ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୂପ ନିୟମ ପାଳନ କରିବା ନେଇ ଅନୁରୋଧ କରିଥିଲେ । ଗତ ୨୦୧୪ରେ ସୁପ୍ରିମକୋର୍ଟ କହିଥିଲେ ଯେ, ବିଚାରପତିମାନେ ନିଜର ବକ୍ତବ୍ୟ ପ୍ରଦାନ କରିବା ସମୟରେ ଭଦ୍ର ଓ ଶାଳୀନତା ରକ୍ଷା କରିବା ଦରକାର । ମାତ୍ର ଏଥିପାଇଁ ‘ମାଇଁ ଲର୍ଡ’, ‘ୟୋର ଲର୍ଡସିପ’ ଓ ‘ୟୋର ଅନର’ ଭଳି ଶବ୍ଦର ବ୍ୟବହାର କରିବା ବାଧ୍ୟତାମୂଳକ ନୁହେଁ । ବର୍ତ୍ତମାନ ଦେଶର ପ୍ରଧାନ ବିଚାରପତି ଦାୟିତ୍ୱ ତୁଲାଉଥିବା ଜଷ୍ଟିସ୍ ଏସ.ଏ. ବୋବଡେ ଓ ଜଷ୍ଟିସ୍ ଏଚ.ଏଲ, ଦତ୍ତୁ ସେ ସମୟରେ ଉକ୍ତ ଖଣ୍ଡପୀଠରେ ସାମିଲ ଥିଲେ ।