ଭାରତର ୨୦୨ ପରେ ଦ. ଆଫ୍ରିକା ୩୫/୧, ପ୍ରଥମ ଦିନରେ ଚମକିଲେ ମାର୍କୋ ଜନସେନ

ନୂଆଦିଲ୍ଲୀ : ଜୋହାନ୍ସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୨୦୨ ରନରେ ଅଲଆଉଟ୍ ହୋଇଛି। ଏହା ପରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଘରୋଇ ଦକ୍ଷିଣ ଆଫ୍ରିକା ୧ ଓ୍ଵିକେଟ୍ ବିନିମୟରେ ୩୫ ରନ କରିଛି । କ୍ରିଜରେ ଅଧିନାୟକ ଡିନ ଏଲଗର(୧୧) ଓ କିଗନ ପିଟରସନ(୧୪) ଅପରାଜିତ ଅଛନ୍ତି । ଅଦ୍ୟାବଧି ଦକ୍ଷିଣ ଆଫ୍ରିକା ଭାରତଠୁ ୧୬୭ ରନରେ ପଛରେ ରହିଛି। ଏଡନ ମାକ୍ରନ(୭)ଙ୍କ ରୂପେ ଘରୋଇ ଦଳ ଏକ ମାତ୍ର ଓ୍ଵିକେଟ୍ ହରାଇଛି। ମହମ୍ମଦ ସାମି ଓ୍ଵିକେଟ୍ ନେଇଛନ୍ତି। ପ୍ରଥମ ଦିନର ଖେଳରେ ଭାରତର ଲୋକେଶ ରାହୁଲ ଓ ଦକ୍ଷିଣ ଆଫ୍ରିକାର ମାର୍କୋ ଜନସେନ ଚମକିଛନ୍ତି।

ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଅଧିନାୟକ କେଏଲ ରାହୁଲ ଓ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟସମ୍ୟାନ ଘରୋଇ ଦକ୍ଷିଣ ଆଫ୍ରିକାର ବୋଲିଂ ସାମ୍ନାରେ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଲୋକେଶ ରାହୁଲ ୫୦ ରନ କରିଥିବା ବେଳେ ଅଶ୍ଵିନ ୪୬ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ତରଫରୁ ମୋର୍କୋ ଜନସେନ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିବା ବେଳେ କାଗିସୋ ରାବଡା ଓ ଡୁଆନୋ ଓଲିଭିର ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋହଲିଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦଳର ନେତୃତ୍ଵଭାର ସମ୍ଭାଳିଛନ୍ତି । ଭାରତର ଓପନିଂ ଯୋଡି ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଓପନିଂ ଓ୍ଵିକେଟରେ ୩୬ ରନ ଯୋଡିଥିଲେ। ଏହି ସ୍କୋରରେ ମୟଙ୍କ(୨୬) ଆଉଟ୍ ହୋଇଥିଲେ। ଏହା ପରେ ଭାରତ ସଅଳ ଦୁଇଟି ଓ୍ଵିକେଟ୍ ହରାଇଥିଲା। ଏହା ପରେ କ୍ରିଜକୁ ଆସିଥିଲେ ଚେତେଶ୍ଵର ପୂଜାରା । ତେବେ ସେ ନିଜର ଖରାପ ଫର୍ମ ବଜାୟ ରଖି ମାତ୍ର ୩ ରନ କରି ବିଦାୟ ନେଇଥିଲେ। ଏହା ପରେ ପାଳି ପଡିଲା ଆଜିଙ୍କ୍ୟ ରାହାଣେଙ୍କର। ଭଲ ଇନିଂସ ଖେଳିବା ପାଇଁ ସୁବର୍ଣ୍ଣ ସୁଯୋଗ ମଧ୍ୟ ରହିଥିଲା। ହେଲେ ସେ ଆହୁରି ଦୟନୀୟ ବ୍ୟାଟିଂ କରି ପ୍ରଥମ ବଲରେ ହିଁ କ୍ୟାଚ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ।

୪୯ ରନରେ ୩ଟି ଓ୍ଵିକେଟ୍ ହରାଇବା ପରେ ଅଧିନାୟକ କେଏଲ ରାହୁଲ ଓ ହନୁମା ବିହାରୀ କ୍ରିଜରେ ଜମି ରହି ଦଳର ଇନିଂସ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟସମ୍ୟାନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡି ଥିଲେ। ଭଲ ବ୍ୟାଟିଂ କରୁଥିବା ହନୁମା ବିହାରୀ(୨୦) ଆଉଟ୍ ହୋଇଥିଲେ। ପରେ ୧୧୬ ରନ ସ୍କୋରରେ ଅଧିନାୟକ ରାହୁଲ ଅର୍ଦ୍ଧଶତକ ହାସଲ କରି ବ୍ୟକ୍ତିଗତ ୫୦ ରନ ସ୍କୋରରେ ଆଉଟ୍ ହୋଇଥିଲେ।

୧୧୬ ରନରେ ଭାରତ ଅଧା ଓ୍ଵିକେଟ୍ ହରାଇବା ପରେ ଋଷଭ ପନ୍ତ ଓ ରବି ଚନ୍ଦ୍ରନ ଅଶ୍ଵିନ ଭଲ ବ୍ୟାଟିଂ କରିଥିଲେ । ବିଶେଷ କରି ଅଶ୍ଵିନ ଦ୍ରୁତ ବ୍ୟାଟିଂ କରିଥିଲେ। ପନ୍ତ (୧୭) ପାଭିଲିୟନ ଫେରିଥିଲେ। ପନ୍ତ ଓ ଅଶ୍ଵିନ ଷଷ୍ଠ ଓ୍ଵିକେଟ୍ ପାଇଁ ୪୦ ରନ ଯୋଡିଥିଲେ। ଏହା ପରେ ଶାର୍ଦ୍ଦୁଳ ଠାକୁର ୦ ରନରେ ଆଉଟ୍ ହୋଇଥିଲେ। ଶେଷ ଆଡକୁ ଅଶ୍ଵିନ ମାତ୍ର ୪ ରନରେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ସେ ୪୬ ରନ କରି ନବମ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ବୁମରା ୧୪ ଅପରାଜିତ ଥିଲେ। ସିରାଜ ଆଉଟ୍ ହେବା ସହ ଭାରତ ୨୦୨ ରନରେ ଅଲଆଉଟ୍ ହୋଇଛି।
ଦକ୍ଷିଣ ଆଫ୍ରିକା ପକ୍ଷରୁ ମୋର୍କୋ ଜନସେନ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିବା ବେଳେ କାଗିସୋ ରାବଡା ଓ ଡୁଆନୋ ଓଲିଭିର ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।