fbpx

ପଲିଥିନ ତଳେ ଦିନ କାଟୁଛନ୍ତି ପରିବାର : ଅଭିଯୋଗ ସତ୍ୱେ ଗୁରୁତ୍ୱ ଦେଉନି ପ୍ରଶାସନ

ରାଇଘର: ଦାରିଦ୍ର ସୀମା ରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି ତେବେ ଉକ୍ତ ଯୋଜନା ଅନେକ କ୍ଷେତ୍ରରେ ସଫଳ ହୋଇ ପାରୁନାହିଁ । ଏଭଳି ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ଠାରେ । ବର୍ଷ ବର୍ଷ ଧରି ନିଜ ପରିବାରକୁ ଏକ ପଲିଥିନ ତଳେ ରଖି ଏକ ହୋଟେଲରେ କାର୍ଯ୍ୟ କରି ଆସୁଛନ୍ତି ମନହର ଲହରା । ମନରେ କଷ୍ଟ ଅନେକ କିନ୍ତୁ ପରିବାର ଚଲାଇବା ଭିତରେ ନିଜକୁ ସମର୍ପିତ ଦେଇ ଜୀବନ ଜୀବିକା ଅତିବାହିତ କରୁଛନ୍ତି ।

ରାଇଘର ପଞ୍ଚାୟତ ଅଧିନସ୍ଥ ଧଡ଼ରାପାରା ଗ୍ରାମର ମନହର ଲହରା ବୟସ ୪୨ । ନିଜ ସ୍ତ୍ରୀ ପିଲା ବାଇ ଲହରା, ଗୋଟିଏ ଝିଅ,ଦୁଇ ପୁଅ ଓ ଘରେ ବୁଢୀ ମାଆ ସହ ପରିବାର ରହିଛି । ବଡ ପୁଅ ୭ ବର୍ଷର ମୁକ ବଧିର ହୋଇଥିବା ବେଳେ ମାସିକ ପାଞ୍ଚ ଶହ ଟଙ୍କା ସରକାରୀ ସହାୟତା ମିଳୁଛି । ସେହିପରି ବୁଢୀ ମାଆ କୁ ମଧ୍ୟ ମାସିକ ଭତ୍ତା ମିଳୁଛି । ଖାଦ୍ୟ ସୁରକ୍ଷା ଯୋଜନାରେ ମାସିକ ୩୦ କେଜି ଚାଉଳ ମିଳୁଛି । କିନ୍ତୁ ଏମାନଙ୍କୁ ରହିବା ନିମନ୍ତେ ଘର ଦ୍ବାର ନ ଥିବା ଯୋଗୁଁ ୧୫ ବର୍ଷ ହେବ ଏକ ପଲିଥିନ ତଳେ ଜୀବନ ବିତୁଛି । ପଲିଥିନ ତଳେ ଛୋଟ ଛୋଟ ପିଲା ସହ ପରିବାର ଧରି କିଭଳି କଷ୍ଟ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ଯାପନ କରୁଛନ୍ତି ଏ ଚିତ୍ର ହିଁ ସବୁ କିଛି ବୟାନ କରୁଛି । ବର୍ଷା ହେଲେ ସମସ୍ତ ପରିବାରବର୍ଗ ନିକଟରେ ଥିବା ଗୋଖାଦ୍ୟ ଗୋଦାମ ଗୃହ ବାରଣ୍ଡାରେ ଯାଇ ଆଶ୍ରୟ ନେଇଥିଲେ । ବର୍ତମାନ ଯେଉଁ ଭଳି ଥଣ୍ଡା ଅନୁଭୁତ ହେଉଛି ଉକ୍ତ ପରିବାର ସଦସ୍ୟ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ତେବେ ଖଣ୍ଡେ ଗୃହ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଘରଟିଏ ମିଳୁନାହିଁ ।

ସରକାରୀ ଯୋଜନାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳୁଥିଲେ ମଧ୍ୟ ଖଣ୍ଡିଏ ଗୃହ ପାଇବା ନିମନ୍ତେ ଅସହାୟ ପରିବାରବର୍ଗ ପ୍ରଶାସନକୁ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍ତି । ଜିଲ୍ଲାପାଳ ଉକ୍ତ ଗରିବ ପରିବାର ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ରାଇଘର ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂରରେ ଏହି ଅସହାୟ ପରିବାର ରହି ଆସୁଥିବା ବେଳେ ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଧଡ଼ରାପାରା ଗ୍ରାମବାସୀ ଦାବୀ କରିଛନ୍ତି ।

Get real time updates directly on you device, subscribe now.