fbpx

ଚୀନର ହ୍ୟାର୍କ୍ସଙ୍କ ଟାର୍ଗେଟ ଦେଶର ପ୍ରତିରକ୍ଷା ସମ୍ବନ୍ଧିତ କମ୍ପ୍ୟୁଟର, ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ ସଂକ୍ରାନ୍ତୀୟ ତଥ୍ୟ କରିପାରେ ଚୋରି

ନୂଆଦିଲ୍ଲୀ : ଗତ ୨୦୨୦ରୁ ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖର ଗଲୱନ ସେକ୍ଟରରେ ଏଲ୍‌ଏସିକୁ ଅତିକ୍ରମଣ ପ୍ରସଙ୍ଗରେ ମୁହାଁମୁହିଁ ହୋଇ ରହିଛନ୍ତି । ଗତ ୨୦୨୦ ଜୁନ୍‌ ୧୫ ତାରିଖରେ ଗଲୱନ ସେକ୍ଟରରେ ଧସେଇ ହୋଇ ପଶିଆସି ଦୀର୍ଘ ଦିନ ଧରି ତମ୍ବୁଟାଣି ରହିଥିବା ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ)କୁ ପଛକୁ ହଟିବାକୁ କହିଥିଲା ଭାରତୀୟ ସେନା । ତେବେ ପିଏଲ୍‌ଏ ଏହି ଚେତାବନୀକୁ ନଶୁଣି ବରଂ ପାଟ୍ରୋଲିଂ କରୁଥିବା ଭାରତୀୟ ସେନାର ଏକ ଦଳ ଉପରକୁ ହଠାତ୍‌ ଆକ୍ରମଣ କରିଥିଲା । ପିଏଲ୍‌ଏର ସଶସ୍ତ୍ର ସୈନିକ ଭାରତୀୟ ସେନାର ଅଳ୍ପ କିଛି ଜୱାନଙ୍କ ଉପରେ ଲୁହାରଡ୍‌, କଣ୍ଟାବାଡ଼ ଘେରା ବାଡ଼ି ଏବଂ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଭାରତୀୟ ସେନା ମଧ୍ୟ ଏହାର କଡ଼ା ମୁକାବିଲା କରିଥିଲା । ହେଲେ ସଂଖ୍ୟା ଅଳ୍ପ ଥିବାରୁ ବିହାର ରେଜିମେଣ୍ଟର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ ୨୦ ଜଣ ଭାରତୀୟ ଜୱାନ ଶହୀଦ ହୋଇଥିଲେ । ଏହାର ପ୍ରତିକ୍ରିୟାରେ ଭାରତର ଘାତକ କମାଣ୍ଡୋମାନେ ସେହି ରାତିରେ ଚୀନ ସେନା ଉପରକୁ ପ୍ରଚଣ୍ଡ ପ୍ରତିଆକ୍ରମଣ କରିଥିଲେ ଏବଂ ଏଥିରେ ଶତାଧିକ ଚୀନ କମାଣ୍ଡର ଓ ସୈନିକ ମୃତାହତ ହୋଇଥିଲେ । ସେବେଠାରୁ ଉଭୟ ଦେଶର ସେନା ପୂର୍ବ ଲଦାଖରେ ମୁହାଁମୁହିଁଁ ହୋଇରହିବା ସହ ଏଲ୍‌ଏସିରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପରେ ଦ୍ୱିପାକ୍ଷିକ ବରିଷ୍ଠ ସେନାଧିକାରୀଙ୍କ ବୈଠକ ପରେ ଉଭୟ ସେନା ୨୦୨୦ ମଇ ମାସର ପୂର୍ବ ସ୍ଥିତିକୁ ଫେରିଆସିବାକୁ ରାଜି ହୋଇ ନିଜ ନିଜର ସୈନ୍ୟ ଓ ଯୁଦ୍ଧ ସରଞ୍ଜାମକୁ ପ୍ରତ୍ୟାହାର କରି ନେଇଥିଲେ । କିନ୍ତୁ ଏତିକିରେ ଶାନ୍ତି ହୋଇନାହିଁ ଡ୍ରାଗନର ରାଗ । ସେ କଳେବଳେ କୌଶଳେ ଭାରତକୁ ପାନେ ଦେବାକୁ ଷଡ଼ଯନ୍ତ୍ର କରୁଛି ।

ସମ୍ମୁଖ ଯୁଦ୍ଧରେ ଭାରତକୁ ପରାସ୍ତ କରିବା ସମ୍ଭବପର ନୁହେଁ ଜାଣି ଏବେ ଚୀନର ହ୍ୟାର୍କ୍ସମାନେ ଦେଶର ପ୍ରତିରକ୍ଷା ସମ୍ବନ୍ଧିତ କମ୍ପ୍ୟୁଟରଗୁଡ଼ିକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ବିଶେଷ କରି ଭାରତର ନ୍ୟୁକ୍ଲିୟର ପ୍ରୋଗ୍ରାମ, ଏୟାର ଡିଫେନ୍ସ ସିଷ୍ଟମ, ମିସାଇଲ୍‌ ସିଷ୍ଟମ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂକ୍ରାନ୍ତୀ ତଥ୍ୟକୁ ଚୋରି କରିବା ପାଇଁ ଚୀନ ହ୍ୟାର୍କ୍ସମାନେ ଏବେ ଲାଗି ଡ଼ିଛନ୍ତି । ଏହିକ୍ରମରେ ରୁଷ୍‌ ଠାରୁ ଭାରତ ପାଇବାକୁ ଥିବା ଏସ୍‌-୪୦୦ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମର ତଥ୍ୟକୁ ହ୍ୟାକ୍‌ କରିବାକୁ ଚୀନ ହ୍ୟାର୍କ୍ସ ପ୍ରୟାସ ଚଳାଇଥିବା ଦେଶର ଗୁଇନ୍ଦା ଏଜେନ୍ସି ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ସତର୍କ କରାଇଛି । ଗୋଟିଏ ପଟେ ଭାରତ ତା’ର ସାମରିକ ଶକ୍ତିକୁ ବୃଦ୍ଧି କରିବାରେ ଲାଗିଥିଲାବେଳେ ଏହାକୁ ନେଇ ଉଭୟ ଦୁଇ ଶତ୍ରୁ ପଡ଼ୋଶୀ ରାଷ୍ଟ୍ର ଚୀନ ଓ ପାକିସ୍ତାନର ନିଦ ହଜାଇ ଦେଇଛି । ଭାରତ ଇତିମଧ୍ୟରେ ଫ୍ରାନ୍ସ ଠାରୁ ୨୯ଟି ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ, ଆମେରିକା ଠାରୁ ଆପାଚେ ଆଟାକ୍‌ ହେଲିକପ୍ଟର ହାସଲ କରିବା ସହ ନିୟମିତ ଭାବେ ନୂତନ ନୂତନ ମିସାଇଲ୍‌ର ପରୀକ୍ଷଣ ଚଳାଇଛି ଯାହାକୁ ନେଇ ଚୀନ ଓ ପାକିସ୍ତାନ ଆତଙ୍କିତ ହୋଇସାରିଛନ୍ତି । ଏଣୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟକୁ ଚୋରାଇବା ଲାଗି ଏମାନେ ସାଇବର ଆକ୍ରମଣ କରିବାକୁ ମସୁଧା କରୁଛନ୍ତି ବୋଲି ସତର୍କ କରାଇଛି ଆଇବି ।

Get real time updates directly on you device, subscribe now.