fbpx

ଭାରତରେ Omicron ସଂକ୍ରମିତଙ୍କ ଅସଲ ସଂଖ୍ୟା ଜାଣିବା ମୁସ୍କିଲ୍, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ତେବେ ଏଭଳି ସ୍ଥଳେ କିଏ ଡେଲଟାରେ ସଂକ୍ରମିତ ହେଉଛି ଆଉ କିଏ ଓମିକ୍ରନରେ ସଂକ୍ରମିତ ହେଉଛି ତାହା ଜାଣିବା ଏକପ୍ରକାର ମୁସ୍କିଲ ହୋଇଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରୁ ପାଖାପାଖି ୨ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏକ୍ସପର୍ଟଙ୍କ ଏକ ସ୍ପେଶାଲ ରିପୋର୍ଟ ମୁତାବକ, ଦିଲ୍ଲୀ ଓ ମୁମ୍ବାଇ ପରି ମହାନଗରର ଚିହ୍ନଟ ହେଉଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୯୦ରୁ ୯୫ ପ୍ରତିଶତ ହେଉଛନ୍ତି ଓମିକ୍ରନ ରୋଗୀ । ଅନ୍ୟ ପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ ଆଜି ୫୦୦ରୁ କମ୍ ନୂଆ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ଏପରି ସ୍ଥଳେ ଦେଶରେ ପ୍ରକୃତରେ ଓମିକ୍ରନରେ କେତେ ଲୋକ ସଂକ୍ରମିତ ହୋଇଛନ୍ତି ତାହା ଜାଣିବା କିପରି ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧.୯୪ ଲକ୍ଷ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୭ ଜଣ ଓମିକ୍ରନ ରହିଛନ୍ତି । ଅର୍ଥାତ ମୋଟ ସଂକ୍ରମିତଙ୍କ ମାତ୍ର ୦.୨ ପ୍ରତିଶତ ହେଉଛନ୍ତି ଓମିକ୍ରନ । ଅନ୍ୟପକ୍ଷରେ ଏକ୍ସପର୍ଟଙ୍କ ରିପୋର୍ଟ ସହ ଏହି ତଥ୍ୟକୁ ତୁଳନା କଲେ କିଛି ଭିନ୍ନ ଅଙ୍କ ସାମ୍ନାକୁ ଆସୁଛି । ତେବେ ଦେଶରେ ଓମିକ୍ରନର ବାସ୍ତବ ସଂଖ୍ୟା ନ ଜାଣି ପାରିବା ପଛରେ ବିଭିନ୍ନ କାରଣ ରହିଛି ।

୧- ସାଧାରତଣ ଭାବେ ଓମିକ୍ରନ ଜିନୋମ ସିକ୍ୱେନ୍ସିଂ ରିପୋର୍ଟ ଆସିବାକୁ ୧ ସପ୍ତାହ ଲାଗି ଯାଉଛି । ଝାଡ଼ଖଣ୍ଡ ସରକାର ଏହି ରିପୋର୍ଟ ପାଇଁ ନମୂନା ଭୁବନେଶ୍ୱର ପଠାଉଥିବାରୁ ଏଥିପାଇଁ ୪୦-୪୫ ଦିନ ସମୟ ଲାଗି ଯାଉଛି ।

୨- ସମଗ୍ର ବିଶ୍ୱରେ ବର୍ତ୍ତମାନ ଡେଲଟାର ସ୍ଥାନ ଓମିକ୍ରନ ନେଉଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ଯଦି ଏପରି ହୁଏ, ତେବେ ଓମିକ୍ରନ ରୋଗୀଙ୍କ ସଂଖ୍ୟା ଜାଣିବା କଷ୍ଟକର ।

୩- ଦେଶରେ ବର୍ତ୍ତମାନ ସୁଦ୍ଧା ୪୦ରୁ କମ୍ ଲ୍ୟାବ ରହିଥିବାରୁ ନିକଟରେ ଓମିସିୟୋର ନାମକ ଏକ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦିଆଯାଇଥିଲା । ଏହି କିଟରେ ମାତ୍ର ୪ ଘଣ୍ଟା ମଧ୍ୟରେ ଓମିକ୍ରନଙ୍କୁ ଚିହ୍ନଟ କରିହେବ ।

୪- କରୋନା ଟେଷ୍ଟିଂକୁ ନେଇ ଏବେ ନୂଆ ନୂଆ ନିୟମ ଲାଗୁ କରାଯାଇଛି । ନିକଟରେ କୋଭିଡର ସଂକ୍ରମଣ ବଢ଼ିବା ପରେ ଆଇସିଏମଆର ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇ କୁହାଯାଇଛି ଯେ, ଏବେ ସମସ୍ତଙ୍କୁ ଟେଷ୍ଟ କରାଇବାର ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.