ନୂଆଦିଲ୍ଳୀ: ବିବାହ ବିଚ୍ଛେଦ ପରେ ଆଲିମୋନି ପାଇଁ ଆବେଦନକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି କୋର୍ଟ । ଚାକିରି କରିଥିଲେ ଜଣେ ମହିଳା ନିଜ ସ୍ୱାମୀଙ୍କ ନିକଟରୁ ଭରଣ ପୋଷଣ ବା ଆଲିମୋନି ଦାବି କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ଜଣେ ଚାକିରିଆ ମହିଳା ଭତ୍ତା ପାଇଁ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ୨୯ ବର୍ଷୀୟ ମହିଳା ଜଣଙ୍କ ଏକ ବହୁ ରାଷ୍ଟ୍ରୀୟ(ଏମଏନସି) କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାମ କରନ୍ତି ।
ନିଜ ସ୍ୱାମୀଙ୍କ ଠାରୁ ମାସିକ ୨୫ ହଜାର ଟଙ୍କାର କ୍ଷତିପୂରଣ ଦାବି କରିଥିଲେ ମହିଳା । ତେବେ ମହିଳା ଜଣଙ୍କ ସଫ୍ଟୱେୟାର ଇଞ୍ଜିନିୟର ହୋଇଥିବାରୁ ସେ ନିଜର ଖର୍ଚ୍ଚ ନିଜେ ନେଇ ପାରିବେ । ତେଣୁ ଯାଚିକାକୁ ପୁନେ ସିଭିଲ କୋର୍ଟ ତୁରନ୍ତ ଖାରଜ କରି ଦେଇଥିଲେ । ସିଭିଲ୍ ଜଜ୍ ମାଧବୀ ଖାନବେ ନିଜ ନିଷ୍ପତ୍ତିରେ କହିଥିଲେ, ମହିଳା ଜଣଙ୍କ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାମ କରୁଛନ୍ତି । ନିଜର ଜୀବନଶୈଳୀକୁ ଠିକ ଢଙ୍ଗରେ ଚଳାଇବା ନିମନ୍ତେ ତାଙ୍କ ପାଖରେ ଆବଶ୍ୟକ ସଂଶାଧନ ରହିଛି । ଏହା ସହିତ ଏକକାଳୀନ ଭାବରେ ୨୫ ଲକ୍ଷ ଟଙ୍କା ପାଇଁ ମହିଳା ଜଣଙ୍କ ଦାବି କରିଛନ୍ତି । ଏକକାଳୀନ ଅର୍ଥ ଦାବି କରିଥିବାରୁ ମାସିକ ଖର୍ଚ୍ଚର ଦାବି ଅଯୌକ୍ତିକ ବୋଲି କୋର୍ଟ କହିଛନ୍ତି । ମହିଳାଙ୍କ ସ୍ୱାମୀ ସିଆରପିଏଫରେ ଅଧିକାରୀ ଭାବରେ କାମ କରୁଥିବା ବେଳେ ସେ ମଧ୍ୟରେ ଦିଲ୍ଳୀରେ ଛାଡପତ୍ର ମାମଲା ଦାୟର କରିଛନ୍ତି ।