fbpx

ଗଣତନ୍ତ୍ର ଦିବସ ଦିନ ଇଣ୍ଡିଆ ଗେଟ୍ ଓ ଲାଲକିଲ୍ଲା ଉପରେ କାର୍ ବମ୍ ଦ୍ୱାରା ଆତଙ୍କୀ ଆକ୍ରମଣ ଆଶଙ୍କା; ଆଲର୍ଟ ଜାରି

ନୂଆଦିଲ୍ଲୀ: ଜାନୁଆରୀ ୨୬ ଅର୍ଥାତ୍ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଆତଙ୍କବାଦୀ ହମଲାର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋ ପକ୍ଷରୁ ଦିଲ୍ଲୀ ପୋଲିସ୍ ଗଣତନ୍ତ୍ର ଦିବସ ଅବସରରେ ଆତଙ୍କୀ ହମଲାକୁ ନେଇ ଇନପୁଟ ଦିଆଯାଇଛି । ଏହି ସୁଚନା ମୁତାବକ, ଜାନୁଆରୀ ୨୬ ଦିନ ଆତଙ୍କବାଦୀମାନେ କିଛି ନେତା ସମେତ ଭିଆଇପିଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ।

ଇଣ୍ଟେଲିଜେନ୍ସ ବ୍ୟୁରୋ ଦେଇଥିବ ଇନପୁଟ ମୁତାବକ, ଗଣତନ୍ତ୍ର ଦିବସ ଅବସରରେ ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ସିଖ ଫର୍ ଜଷ୍ଟିସ୍ ପକ୍ଷରୁ ଆତଙ୍କବାଦୀ ହମଲା କରିବାର ଯୋଜନା କରୁଛନ୍ତି । ସଂଗଠନ ପକ୍ଷରୁ କାର୍ ରେ ବିସ୍ଫୋରକ ରଖି ଲାଲକିଲ୍ଲା ଓ ଇଣ୍ଡିଆ ଗେଟ୍ ଉପରେ ହମଲା କରିବା ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ଇନପୁଟରେ ଏହା ମଧ୍ୟ କୁହାଯାଇଛି ଯେ, ସିଖ୍ ଫର୍ ଜଷ୍ଟିସ୍ ଗତ ବର୍ଷ ପରି ଚଳିତ ଥର ମଧ୍ୟ ଲାଲକିଲ୍ଲା ରେ ଧାର୍ମିକ ପତାକା ଉଡ଼ାଇବା ଘଟଣାର ପୁନରାବୃତ୍ତି କରିପାରେ ।

ଖାଲି ସେତିକି ନୁହେଁ ଆଇପି(ଇଣ୍ଟେଲିଜେନ୍ସ ବ୍ୟୁରୋ) ଏହା ମଧ୍ୟ ଦାବି କରିଛନ୍ତି ଯେ, ଆତଙ୍କୀ ମାନେ ପାକିସ୍ତାନୀରୁ ଭାରତକୁ ବିସ୍ଫୋରକ ଆଣିସାରିଛନ୍ତି । ଗାଜିପୁରରୁ ମିଳିଥିବା ଆଇଇଡି ହେଉଛି ଏହାର ଏକ ଅଂଶ । ଏହି ପରିପ୍ରେକ୍ଷୀରେ ସେମାନେ ଡ୍ରୋନ୍ ଦ୍ୱାରା ମଧ୍ୟ ଆକ୍ରମଣ କରିପାରନ୍ତି । ଯେଉଁଭଳି ଭାବରେ ଜମ୍ମୁ ଏୟାରପୋର୍ଟ ଉପରେ ଡ୍ରୋନ୍ ହମଲା କରାଯାଇଥିଲା । ଡ୍ରୋନ ଦ୍ୱାରା ପରେଡ୍ ରୁଟ୍ କିମ୍ବା ତାର ଆଗକୁ କିମ୍ବା ପଛ ପଟରୁ ହମଲା କରାଯିବାର ଆଶଙ୍କା ରହିଛି ବୋଲି ଇଣ୍ଟେଲିଜେନ୍ସ ବ୍ୟୁରୋ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.