fbpx

ରାଜ ବାୱାଙ୍କ ଅଲରାଉଣ୍ଡ ସଫଳତା, ନିଶାନ୍ତ ଓ ରାଶିଦଙ୍କ ଅର୍ଦ୍ଧଶତକ: ଭାରତକୁ ପଞ୍ଚମ ବିଶ୍ଵକପ ଟାଇଟଲ

ନୂଆଦିଲ୍ଲୀ: ପଞ୍ଚମ ଥର ପାଇଁ ୧୯ ବର୍ଷରୁ କମ୍ ବିଶ୍ଵକପ ଟ୍ରଫି ହାସଲ କରିଛି ଭାରତ। ୟଶ ଧୁଲଙ୍କ ନେତୃତ୍ବରେ ଖେଳୁଥିବା ଭାରତ ରୋମାଞ୍ଚକର ଫାଇନାଲ ମୁକବିଲାରେ ଇଂଲଣ୍ଡ ଦଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୮୯ ରନ କରି ଥିବାବେଳେ ଭାରତ ୧୪ ବଲ ପୂର୍ବରୁ ମ୍ୟାଚ ଜିତି ନେଇଥିଲା। ଭାରତ ପକ୍ଷରୁ ରାଜ ଵାୱା ୫ୱିକେଟ୍ ଓ ୩୫ ରନ୍ କରିଥିଲେ। ଉପ ଅଧିନାୟକ ଶେକ୍ ରଶିଦ ଓ ନିଶାନ୍ତ ସିନ୍ଧୁ ୫୦ ରନ ଲେଖାଏଁ କରିଥିଲେ

ପ୍ରଥମ ଓଭରରେ ଭାରତ ଖାତା ଖୋଲିବା ପୂର୍ବରୁ ଅଙ୍ଗକ୍ରିଷ ରଘୁବଂଶୀଙ୍କ ୱିକେଟ୍ ହରାଇଥିଲା। ରସିଦ ଓ ହର୍ନୁର ସିଂ ୪୯ ରନ ଯୋଡ଼ିଥିଲେ। ହର୍ନୁରଙ୍କ ୱିକେଟ ପତନ ପରେ ଅଧିନାୟକ ୟଶ ଧୁଲ ଓ ରଶିଦଙ୍କ ମଧ୍ୟରେ ୪୬ ରନର ଭାଗିଦାରୀ ହୋଇଥିଲା। ତେବେ ୨ ଓଭର ଓ ୨ ରନ ବ୍ୟବଧାନରେ ଉଭୟ ଆଉଟ୍ ହୋଇଥିଲେ। ନିଶାନ୍ତ ସିନ୍ଧୁ ଅପରାଜିତ ୫୦ ଏବଂ ରାଜ ବାୱାଙ୍କ ମଧ୍ୟରେ ୬୭ ରନର ଭାଗିଦାରୀ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲା। ଶେଷ ଆଡ଼କୁ ଦିନେଶ ବାନା ୫ ବଲ ୧୩ ରନ ସହିତ ଦଳକୁ ବିଜୟୀ କରିଥିଲେ। ଏହି ବିଜୟ ସହିତ ଭାରତ ନିଜର ୫ମ ବିଶ୍ଵକପ ହାସଲ କରିଥିଲା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ତେବେ ଦ୍ୱିତୀୟ ଓଭରରେ ଦଳକୁ ଝଟକା ଦେଇଥିଲେ ରବି କୁମାର । ମାତ୍ର ରାଜ ବାୱା ଚମକ୍ରାର ବୋଲିଂ କରିବା ସହିତ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ବାୱାଙ୍କ ଘାତକ ବୋଲିଂ ଫଳରେ ଇଂଲଣ୍ଡ ୬୧ ରନରେ ୬ଟି ଓ ୯୧ ରନରେ ୭ଟି ୱିକେଟ ହରାଇଥିଲା । ଅଷ୍ଟମ ୱିକେଟରେ ଜେମସ୍ ରିଉ(୯୫) ଓ ଜେମସ୍ ସେଲସ(୩୪)ଙ୍କ ମଧ୍ୟରେ ୯୩ ରନର ପାର୍ଟନରଶିପ୍ ହୋଇଥିଲା । କୌଶଲ ତାମ୍ବେଙ୍କ ଚମକ୍ରାର କ୍ୟାଚରେ ରିଉ ପ୍ୟାଭିଲିୟନ ଫେରିବା ପରେ ଇଂଲଣ୍ଡ ମାତ୍ର ୧୮୯ ରନରେ ଅଲଆଉଟ ହୋଇଥିଲା । ରିଉ ୧୧୬ଟି ବଲ ଖେଳି ୧୨ଟି ଚୌକା ମାରିଥିଲେ । ରାଜ ବାୱା ୩୧ରନରେ ୫ଟି ୱିକେଟ ନେଇଥିବା ବେଳେ ରବି କୁମାର ୩୪ ରନରେ ୪ଟି ୱିକେଟ ନେଇଥିଲେ ।

Get real time updates directly on you device, subscribe now.