fbpx

ମମିତା ମେହେର ହତ୍ୟା ମାମଲା: ୧୫ ତାରିଖରେ ରାୟପୁର ଏୟାରପୋର୍ଟରେ ଥିଲେ ଦିବ୍ୟଶଙ୍କର, କଂଗ୍ରେସ ଜାରି କଲା Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ପୁଣି ବିଜେଡିକୁ ଘେରିଛି କଂଗ୍ରେସ । ମମିତା ମେହେର ରାୟପୁର ଯାଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇଛି ଯେଉଁଥିରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ରାୟପୁର ବିମାନ ବନ୍ଦରରେ ନଜର ଆସିଛନ୍ତି । ଭିଡିଓଟି ୧୫ ଅକ୍ଟୋବରର ବୋଲି ଜଣାପଡିଛି । ଦିନ ୧୧.୫୭ ମିନିଟରେ କ୍ୟାପଟେନ୍ ରାୟପୁର ବିମାନ ବନ୍ଦରରେ ନଜର ଆସିଥିଲେ । ରାୟପୁର ଏୟାରପୋର୍ଟରେ ଦିବ୍ୟଶଙ୍କର ମିଶ୍ର ଥିବା ଏକ ଭିଡିଓ ଜାରି କରିଛି କଂଗ୍ରେସ । ଏହାସହ ଦିବ୍ୟଶଙ୍କର ମିଶ୍ର ଗତ ଅକ୍ଟୋବର ୧୫ରେ ରାୟପୁର ଯାଇଥିଲେ ବୋଲି ଦଳ ଦାବି କରିଛି । ଚଣ୍ଡିଗଡ଼ ଯିବା ସହ ସେଠାରୁ ଦିଲ୍ଲୀ ଓ ୧୮ ତାରିଖରେ ପୁଣି ରାୟପୁର ଫେରିଥିଲେ ଦିବ୍ୟଶଙ୍କର ମିଶ୍ର । ଏହି ସମୟରେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ତାଙ୍କର ସାକ୍ଷାତ ହୋଇଥିବା କଂଗ୍ରେସ ଦାବି କରିଛି ।

ଏହାସହ ଅକ୍ଟୋବର ୧୮ରେ ମନ୍ତ୍ରୀ ଦିବ୍ୟଶଙ୍କର ରାୟପୁରରେ ଥିବା ବେଳେ ଅକ୍ଟୋବର ୧୯ ତାରିଖରେ ଗୋବିନ୍ଦ ସାହୁ ଏକ ଆଖୁ କିଆରୀରୁ ଧରାପଡ଼ିଥିଲେ । ଅକ୍ଟୋବର ୮ରେ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ଏହି ଘଟଣାରେ ଗୋବିନ୍ଦ ସାହୁଙ୍କ ସମେତ ୨ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ୪ ମାସ ବିତିଯାଇଥିଲେ ବି ରାଜ୍ୟ ସରକାରଙ୍କ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ କିଛି ଦିନ ପୂର୍ବରୁ ଏହାର ପ୍ରତିବାଦରେ ବିଜେପି ରାଲି କରିଥିଲା । ନବୀନ ନିବାସ ଘେରାଉ ପାଇଁ ରାଜମହଲରୁ ବିଜେପିର ରାଲି ବାହାରି ଥିଲା । ଶିଶୁ ଭବନ ଛକରେ ରାଲି ପହଞ୍ଚିବା ପରେ ବିଜେପି କର୍ମୀଙ୍କୁ ପୋଲିସ୍‌ ଅଟକାଇ ଥିଲା । ଏହି ସମୟରେ ପୋଲିସ୍‌ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ପୋଲିସ୍‌ମାନେ ମହିଳାମାନଙ୍କୁ ଟଣାଓଟରା କରି ହଇରାଣ କରୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା ।

Get real time updates directly on you device, subscribe now.