ଏହି ରାଜ୍ୟରେ ହେବନି ପଞ୍ଚମ ଓ ଅଷ୍ଟମ ବୋର୍ଡ ପରୀକ୍ଷା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ହରିୟାଣାର ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ଦେବେନି ୫ମ ଓ ୮ମ ବୋର୍ଡ ପରୀକ୍ଷା । ଏନେଇ ଘୋଷଣା କରିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ତେବେ ଆସନ୍ତା ଶିକ୍ଷାବର୍ଷରୁ ପିଲାମାନେ ବୋର୍ଡ ପରୀକ୍ଷା ଦେବେ ବୋଲି ସେ କହିଛନ୍ତି । ସିବିଏସଇ ଓ ହରିଆଣା ବୋର୍ଡର ୫ମ ଓ ୮ମ ଶ୍ରେଣୀ ପରୀକ୍ଷା ଚଳିତ ଶିକ୍ଷାବର୍ଷ ପାଇଁ ସ୍ଥଗିତ ରଖାଯାଉଛି । ଆସନ୍ତା ଶିକ୍ଷାବର୍ଷ ଠାରୁ ୫ମ ଓ ୮ମ ଶ୍ରେଣୀ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ।

ଅନେକ ଅଭିଭାବକ ୫ମ ଓ ୮ମ ବୋର୍ଡ ପରୀକ୍ଷା ଆୟୋଜନ କରିବା ପାଇଁ ସରକାର କରୁଥିବା ଯୋଜନା ବିରୋଧରେ ଆନ୍ଦୋଳନ କରିଥିଲେ । ଏଥିରେ ସିବିଏସ୍‌ଇ, ସିଆଇଏସ୍‌ସିଇ ଓ ଆଇବି ବୋର୍ଡ ଦ୍ୱାରା ପରିଚାଳିତ ଗୁରୁଗ୍ରାମରେ ଥିବା ସମସ୍ତ ୧୨ ସ୍କୁଲର ଅଭିଭାବକ ସାମିଲ ହୋଇଥିଲେ । କରୋନା ପାଇଁ ସ୍କୁଲ ବନ୍ଦ ଥିବା ବେଳେ ସରକାର କେମିତି ପରୀକ୍ଷା କରିବାକୁ ଯୋଜନା କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ । ଏହି ଆନ୍ଦୋଳନର ଦିନକ ପରେ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବନାହିଁ ବୋଲି ସରକାର ସୂଚନା ଦେଇଛନ୍ତି ।