fbpx

ଚୀନର ଜାଲରେ ଛନ୍ଦି ହେଲା ଶ୍ରୀଲଙ୍କା: ଦେଶରେ ନାହିଁ ପଟ୍ରୋଲ, ପାଖରେ ନାହିଁ ପଇସା

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଦୁର୍ଦ୍ଦଶା କଥା ନ କହିବା ଭଲ । ଏକଦା ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କାରେ ଆଜି ମିଳୁନାହିଁ ଇନ୍ଧନ । ବିଦେଶରୁ ମାଲ ଆଣିବା ପାଇଁ ସରକାରଙ୍କ ହାତରେ ପର୍ଯ୍ୟାପ୍ତ ଆମେରିକୀୟ ଡଲାର ନାହିଁ । ଦେଶର ଅଧିକାଂଶ ପେଟ୍ରୋଲ ପମ୍ପରେ ଓନ୍ଧନ ଶେଷ ହୋଇଯିବା ଫଳରେ କିଛି ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି । ଇନ୍ଧନ ଅଭାବ ଯୋଗୁଁ ପେଟ୍ରୋଲ ପମ୍ପ ସମ୍ମୁଖରେ ଲୋକଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି ।

ତେବେ ବାସ୍ତବରେ କ’ଣ ଏପରି ହେଲା ଯେ, ଶ୍ରୀଲଙ୍କାର ଏପରି ସ୍ଥିତି ହୋଇଗଲା । ଏହାର ମୂଳ କାରଣ ହେଉଛି କୂଟଳୀ ଚୀନ । ଚୀନର କରଜ ଜାଲରେ ଫସି ଶ୍ରୀଲଙ୍କା ଆଜି ଦେବାଳିଆ ହେବାକୁ ବସିଛି । ଜଣାପଡ଼ିଛି ଯେ, ସିଂହଳି ଡ୍ରାଗନଠାରୁ ୩୭ ହଜାର କୋଟିରୁ ଅଧିକ ଟଙ୍କାର ଋଣ କରିଛି । ଚୀନର ଚତୁର ଚାଲକୁ ବୁଝି ନ ପାରି ଅନ୍ୟ କ୍ଷୁଦ୍ର ଗରିବ ରାଷ୍ଟ୍ରଙ୍କ ପରି ଶ୍ରୀଲଙ୍କା ଏବେ ସେହି ଖାଲରେ ପଡ଼ିଯାଇଛି । ତେବେ ଘରୋଇ ଋଣ ଓ ବିଦେଶୀ ବଣ୍ଡଗୁଡ଼ିକର ପେମେଣ୍ଟ ପାଇଁ ସରକାରଙ୍କୁ ଟଙ୍କା ଛାପିବାକୁ ପଡ଼ୁଛି ।

ଚଳିତ ମାସ ପ୍ରାରମ୍ଭରେ ଭାରତୀୟ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇସି) ଶ୍ରୀଲଙ୍କାକୁ ୪୦ ହଜାର ଟନ ଡିଜେଲ ଓ ପେଟ୍ରୋଲ ପ୍ରଦାନ କରିଥିଲା । ସୂଚନାଯୋଗ୍ୟ ଯେ, ଚୀନ ନିଜର ୱାନ ବେଲ୍ଟ ୱାନ ରୋଡ଼୍ (ଓବିଓଆର) ଯୋଜନା ମାଧ୍ୟମରେ ବିଭିନ୍ନ ଦେଶକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରୁଛି । ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଚୀନ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଚୁକ୍ତି ସ୍ୱାକ୍ଷର କରିଥିଲା । ସେ ସମୟରେ ଚୀନର ଏହି ଚାଲକୁ ନେଇ ଭାରତ ବିରୋଧ କରିଥିଲେ ହେଁ ସିଂହଳି ଭାରତ କଥାକୁ ଭ୍ରୁକ୍ଷେପ କରିନଥିଲା, ଯାହାର ପରିଣତିସ୍ୱରୂପ ଆଜି ଶ୍ରୀଲଙ୍କା କାଙ୍ଗାଳ ହେବାକୁ ବସିଛି ।

Get real time updates directly on you device, subscribe now.