fbpx

ଅନ୍ୟର ଦୁଃଖ ସମୟରେ ଟଙ୍କା ପଠାଇବା ପୂର୍ବରୁ ଆପଣମାନେ ଥରେ ଭାବନ୍ତୁ, ଘଟଣାଟି ପ୍ରକୃତରେ ସତ ନା ମିଛ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଚୋରମାନେ ଠକିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଛନ୍ତି । ଆଉ ନିରୀହ ଜନସାଧାରଣ ସେଥିରେ ବଳି ପଡ଼ୁଛନ୍ତି । ସେଥିମଧ୍ୟରୁ ଗୋଟିଏ ସହଜ ପନ୍ଥା ହେଉଛି ସୋସିଆଲ ମିଡ଼ିଆରେ ମିଛ ବାହାନା କରିବା । ‘ମୋ ପୁଅ ମରିଯିବ ଆଜ୍ଞା, ମୋ ସ୍ୱାମୀ ମରିଯିବେ ଆଜ୍ଞା, ଆମକୁ ସାହାଯ୍ୟର ହାତ ବଢ଼ାନ୍ତୁ, ନହେଲେ ମୋ ସଂସାର ଭାସିଯିବ ।’ ଏତିକି କହି ଲୁହ ଦୁଇ ଟୋପା ଝରାଇ ସୋସିଆଲ ମିଡ଼ିଆରେ ଭିଡିଓଟିଏ କରି ଛାଡ଼ିଦେଲେ ସବୁ ଦୁଃଖ ଗଲା । ଏହା ପରେ ସରଳ ନିରୀହ ତଥା ବୋକା ଲୋକମାନେ ଟଙ୍କେ ଟଙ୍କେ କରି ଲକ୍ଷରୁ କୋଟି ଟଙ୍କା ଅଜାଡ଼ି ଦେଇଥାନ୍ତି । ମାତ୍ର ମାଲାମାଲା ହୋଇଯାଇଥାନ୍ତି ଦୁଃଖର ବାହାନା କରୁଥିବା ଏଭଳି ହୀନ ତଳସ୍ତରର ପୁରୁଷ ଓ ମହିଳାମାନେ ।

ଅନ୍ୟର ଦୁଃଖ ସମୟରେ ହାତ ବଢ଼ାଇବା ବହୁତ ଭଲକଥା । ଏପରି ସାହାଯ୍ୟକାରୀଙ୍କୁ ଈଶ୍ୱର ଆଶିର୍ବାଦ କରନ୍ତୁ । ମାତ୍ର ଜଣଙ୍କର ପ୍ରକୃତ ପରିସ୍ଥିତି ବିଷୟରେ କିଛି ନ ଜାଣି ଅର୍ଥ ଅଜାଡ଼ିଦେବା ପାଣିକୁ ଫୋପାଡ଼ିଦେବା ସହିତ ସମାନ ନୁହେଁ କି? କାହାର ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରିବା ଆମର ଉଦ୍ଦେଶ୍ୟ ନୁହେଁ । ଆମେ ରାଜ୍ୟ ତଥା ଦେଶର ସରଳ ତଥା ବୋକା ଶ୍ରେଣୀର ଭାଇଭଉଣୀମାନଙ୍କୁ ଅନୁରୋଧ କରୁଛୁ, ଆପଣମାନେ ଦୟାକରି ଅନ୍ୟକୁ ସାହାଯ୍ୟ କରିବା ସମୟରେ ଅନ୍ତତଃ ପ୍ରକୃତ ପରିସ୍ଥିତି କଥା ଟିକେ ବିଚାର କରନ୍ତୁ । ସାହାଯ୍ୟର ପ୍ରକୃତ ଅର୍ଥ ଯଦି ଠିକ୍ ଲୋକ ପାଖରେ ପହଞ୍ଚିବ ପାରିବ, ତେବେ ଏହା ଆମ ସମାଜ ପାଇଁ ଏକ ଭଲ କଥା । ମାତ୍ର ଯଦି ଜଣେ ମିଛରେ ଅଭିନୟ କରି ଲକ୍ଷ ଲକ୍ଷ ଲୋକଙ୍କୁ ବୋକା ବନାଇ ଅର୍ଥ ଲୁଟି ରାତାରାତ୍ କୋଟିପତି ଲକ୍ଷପତି ହୋଇପାରୁଛି ଏହା ତ ନିଶ୍ଚିତ ଭାବେ ଏକ ଭଲ ବିଜିନେସ୍!

ବିଶେଷ କରି କୋଭିଡ୍ ପରବର୍ତ୍ତୀ ସମୟରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । ଯିଏ ଯେତେ ବେଶି ମାତ୍ରାରେ ମିଡ଼ିଆରେ ନିଜର ଦୁଃଖକୁ ଭାଇରାଲ କରିପାରିଲା, ତା’ ଆକାଉଣ୍ଟକୁ ସେତେ ମୋଟା ଅଙ୍କ ଆସିବ । ଆମର କହିବା ଅର୍ଥ ନୁହେଁ ଯେ, ସମସ୍ତେ ମିଛରେ ବାହାନା କରୁଛନ୍ତି, ସମସ୍ତେ ଠକୁଛନ୍ତି । ଏଭଳି ଘଟଣାରେ କିଛି ସତ ଆଉ କିଛି ମିଛ ଲୁଚି ରହିଛି । ତେଣୁ ଆପଣମାନେ ସାବଧାନ ହୋଇ ଠିକ୍ ଲୋକକୁ ସାହାଯ୍ୟ କରନ୍ତୁ, ଏତିକି ଅନୁରୋଧ ।

Get real time updates directly on you device, subscribe now.