ଅଧଘଣ୍ଟାରେ ୧୦ କୋଟି ମୃତ୍ୟୁ, ୧୮ ହଜାର ବର୍ଷ ପଛକୁ ଚାଲିଯିବ ଦୁନିଆ; ପରମାଣୁ ଯୁଦ୍ଧ ହେଲେ କଣ ହେବ ଜାଣନ୍ତୁ?

ନୂଆଦିଲ୍ଲୀ: କଣ ହେବ ଯଦି ଧମାକା ହେବ ଓ ମାତ୍ର କିଛି ମୁହୂର୍ତ୍ତରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଯିବ । ଲୋକ ବସିଥିବେ ଓ ସେମାନଙ୍କ ଚମଡ଼ା ଜଳି ଯିବ । ଛାତି ଥରାଇବା ପରି ଧମାକା ହେବ ଆଉ ସବୁ ଦିଗ ଶୂନଶାନ୍ ପଡ଼ିଯିବ । ଆଉ ବର୍ତ୍ତିଯାଇଥିବା ଲୋକଙ୍କ କେବଳ କାନ୍ଦ ବୋବାଳି ହିଁ ଶୁଣାଯିବ । କଣ ହେବ ଏପରି କିଛି ସ୍ଥିତି ଉପୁଜିଲେ ? କିଛି ଏପରି ହିଁ ହୋଇଥିଲା ୧୯୪୫ ମସିହା ଅଗଷ୍ଟ ମାସରେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା, ଜାପାନର ହିରୋସୀମା ଓ ନାଗାସାକି ଉପରେ ପରମାଣୁ ହମଲା କରିଥିଲା ସେହି ସମୟରେ ଏପରି କରୁଣ ଚିତ୍ର ଦେଖିବାକୁ ମିଳିଥିଲା । ଏହି ଆକ୍ରମଣ ଏତେ ଜୋରଦାର୍ ଥିଲା ମାତ୍ର କିଛି ସେକେଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ନିଶ୍ୱାସ ବନ୍ଦ ହୋଇଯାଇଥିଲା । ଏହାପରେ ବି ବର୍ଷ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ମୃତ୍ୟୁ ହେବାକୁ ଲାଗିଥିଲା ।

ବର୍ତ୍ତମାନର ରୁଷ-ୟୁକ୍ରେନ ଯୁଦ୍ଧରେ ମଧ୍ୟ ଏବେ ସେହିଭଳି କିଛି ପରିସ୍ଥିତିର ଆଶଙ୍କା କରାଯାଉଛି । ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚିବାକୁ ଯାଉଥିଲେ ବି ବିପଦ ରହିଛି । ଆମେରିକା ସମେତ ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନର ସହାୟତା କରୁଛନ୍ତି । ଆଉ ଏହି କ୍ରମରେ ରୁଷ ରାଷ୍ଟ୍ରପତି ଚେତାଇଛନ୍ତି ଯେ, ଯଦି କିଏ ଭିତରେ ପଶିବାକୁ ଚେଷ୍ଟା କରିବ ତାହେଲେ ପରିଣାମ ଏପରି ହେବ ଯାହାକୁ କି କିଏ ଦେଖିନଥିବେ କି ଭାବିବି ନଥିବେ । ପୁଟିନଙ୍କ ଏହି ଚେତାବନୀକୁ ଏକ୍ସପର୍ଟ ମାନେ ପରମାଣୁ ଯୁଦ୍ଧ ସହିତ ଯୋଡ଼ିଛନ୍ତି ।

ଜାପାନ ପୂର୍ବରୁ ହିଁ ପରମାଣୁ ହମଲାର ସାମନା କରିସାରିଛି । ଯେଉଁ ମାନେ ବଞ୍ଚିଯାଇଛନ୍ତି ସେମାନଙ୍କ ହୃଦୟ ଆଜିବି ସେ ସମୟର କଥା ମନକୁ ଆସିଲେ ଥରି ଉଠୁଛନ୍ତି । ପରମାଣୁ ଯୁଦ୍ଧ ଦୁନିଆରେ ପୁଣି ଏକ ବିନାଶ ନେଇଆସିବ ।

ପରମାଣୁ ଯୁଦ୍ଧ ହେଲେ କଣ ହେବ?

ସ୍ୱିଜରଲ୍ୟାଣ୍ଡର ଏକ ସଂସ୍ଥା ରହିଛି । ଯାହାର ନାମ ହେଲା ଇଣ୍ଟରନ୍ୟାସନାଲ୍ କ୍ୟାମ୍ପେନ ଟୁ ଅବଲିସ୍ ନ୍ୟୁକ୍ଲିୟର୍ ୱିପନ୍(ଆଇସିଏଏନ୍) । ଏହି ସଂସ୍ଥାକୁ ୨୦୧୭ ମସିହାରେ ନୋବେଲ୍ ପୀସ୍ ପୁରସ୍କାର ମିଳିସାରିଛି । ଆଇସିଏଏନ୍ ମୁତାବକ, ଏକ ପରମାଣୁ ଝଟକା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଯିବ । ଆଉ ଯଦି ୧୦ କିମ୍ବା ଶହ ଶହ ବମ୍ ପଡ଼ିବ ତାହେଲେ ଲକ୍ଷ-ଲକ୍ଷ , କୋଟି କୋଟି ଲୋକ ଜୀବନ ହାରିବେ । ଖାଲି ସେତିକି ପୃଥିବୀର ପରିବେଶ ହିଁ ଦୂଷିତ ହୋଇଯିବ ।

ଆଇସିଏଏନ୍ ମୁତାବକ, ଗୋଟିଏ ପରମାଣୁ ବୋମା ସମଗ୍ର ସହରକୁ ଧ୍ୱଂସ କରିବ । ଯଦି ଆଜିର ସମୟରେ ଅନେକ ପରମାଣୁ ଅସ୍ତ୍ର ବ୍ୟବହାର କରାଯାଏ, ତେବେ ଏଥିରେ କୋଟି କୋଟି ଲୋକ ପ୍ରାଣ ହରାଇବେ । ଏଥି ସହିତ, ଯଦି ଆମେରିକା ଏବଂ ରୁଷ ମଧ୍ୟରେ ଏକ ବଡ ଆଣବିକ ଯୁଦ୍ଧ ଆରମ୍ଭ ହୁଏ, ତେବେ ମୃତ୍ୟୁ ସଂଖ୍ୟା ୧୦ କୋଟି ଅତିକ୍ରମ କରିବ ।

ମୁମ୍ବାଇ, ଯେଉଁଠାରେ ପ୍ରତ୍ୟେକ କିଲୋମିଟର ବ୍ୟାସାର୍ଦ୍ଧରେ ୧ ଲକ୍ଷରୁ ଅଧିକ ଲୋକ ବାସ କରନ୍ତି, ଯଦି ହିରୋସିମା ପରି ପରମାଣୁ ବୋମା ସେଠାରେ ପଡେ ତେବେ ଗୋଟିଏ ସପ୍ତାହରେ ୮.୭୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବ । ଯଦି ଆମେରିକା ଏବଂ ରୁଷ ମଧ୍ୟରେ ଆଣବିକ ଯୁଦ୍ଧରେ ୫୦୦ ପରମାଣୁ ବୋମା ବ୍ୟବହୃତ ହୁଏ, ତେବେ ଅଧ ଘଣ୍ଟା ମଧ୍ୟରେ ୧୦ କୋଟିରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବ ।

କେବଳ ଏତିକି ନୁହେଁ, ଯଦି ବିଶ୍ୱରେ ଉପସ୍ଥିତ ଥିବା ପରମାଣୁ ଅସ୍ତ୍ରଗୁଡିକର ୧ ପ୍ରତିଶତରୁ କମ୍ ବି ଯୁଦ୍ଧରେ ବ୍ୟବହୃତ ହୁଏ, ତେବେ ୨ ବିଲିୟନ୍ ଲୋକ ଅନାହାରରେ ପଡ଼ିଯିବେ ଓ ମୃତ୍ୟୁ ସୁନିଶ୍ଚିତ ହୋଇଯିବ । ଏହା ସହିତ ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ନଷ୍ଟ ହୋଇଯିବ, ଯେଉଁଥିପାଇଁ ଆହତମାନେ ଚିକିତ୍ସା ପାଇପାରିବେ ନାହିଁ । ଫଳରେ ମୃ୍ତ୍ୟୁ ବର୍ଷ ବର୍ଷ ଧରି ହୋଇଚାଲିବ ।

ବର୍ତ୍ତମାନ ବିଶ୍ୱ ଗ୍ଲୋବାଲ୍ ୱାର୍ମିଙ୍ଗ୍ ସହିତ ସଂଘର୍ଷ କରୁଛି, କିନ୍ତୁ ଆଣବିକ ଯୁଦ୍ଧ ହେତୁ ପୃଥିବୀର ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିବ। ଏହାର କାରଣ ହେଉଛି ଏହି ଆକ୍ରମଣ ରେ ଏତେ ଧୂଆଁ ନିର୍ଗତ କରିବ ଯାହା ପୃଥିବୀ ପୃଷ୍ଠରେ ଜମିଯିବ । ଅନୁମାନ କରାଯାଉଛି ଯେ ଯଦି ଏହା ଘଟିବ ତାହେଲେ, ଅତିକମରେ ୧୦% ସ୍ଥାନରେ ସୂର୍ୟ୍ୟକିରଣ ପହଞ୍ଚିବ ନାହିଁ ।

ଏଥି ସହିତ, ଯଦି ବିଶ୍ୱର ସମସ୍ତ ଆଣବିକ ଅସ୍ତ୍ର ବ୍ୟବହାର କରାଯାଏ, ତେବେ ପୃଥିବୀର ଷ୍ଟ୍ରାଟୋସ୍ପିୟର୍ ରେ ୧୫୦ ମିଲିୟନ୍ ଟନ୍ ଧୂଆଁ ଫ୍ରିଜ୍ ହୋଇଯିବ । ଷ୍ଟ୍ରାଟୋସ୍ପିୟର୍ ହେଉଛି ପୃଥିବୀର ବାହ୍ୟ ପୃଷ୍ଠ ଯାହା ଓଜୋନ୍ ସ୍ତର ଉପରେ ରହିଥାଏ ।
କେବଳ ଏତିକି ନୁହେଁ, ବିଶ୍ୱର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ନାହିଁ । ବିଶ୍ୱ ବୃଷ୍ଟିପାତ ୪୫% ହ୍ରାସ ପାଇବ ଏବଂ ଏହା ପୃଥିବୀ ପୃଷ୍ଠର ହାରାହାରି ତାପମାତ୍ରା -୭ ରୁ -୮ ଡିଗ୍ରୀ ସେଲସିୟସରେ ପହଞ୍ଚିବ । ଏହାର ଯଦି ତୁଳନା କରିବା, ତାହେଲେ ୧୮ ହଜାର ବର୍ଷ ପୂର୍ବର ହିମଯୁଗ ଥିଲା । ସେ ସମୟରେ ତାପମାତ୍ରା ମାଇସନ୍ ୫ ଡିଗଅୀ ସେଲସିୟସ୍ ଥିଲା । ଅର୍ଥାତ୍ ଏହି ପରମାଣୁ ଯୁଦ୍ଧ ପାଇଁ ଦୁନିଆ ୧୮ ହଜାର ବର୍ଷ ପଛକୁ ଚାଲିଯିବ ।

ଯଦି ଆମେ କେଉଁ ଦେଶ ପାଖରେ କେତେ ପରମାଣୁ ହତିଆର ଅଛି ତାହେଲେ ରୁଷିଆ ପାଖରେ ୫,୯୭୭, ଆମେରିକା ପାଖରେ ୫,୪୨୮, ଚୀନ ପାଖରେ ରହିଛି ୩୫୦, ଫ୍ରାନ୍ସରେ ୨୯୦, ୟୁକେରେ ୨୨୫, ପାକିସ୍ତାନ ୧୬୫, ଭାରତରେ ୧୬୦, ଇସ୍ରାଏଲ୍ ୯୦ ଓ ଉତ୍ତରକୋରିଆରେ ୨୦ଟି ପରମାଣୁ ଅସ୍ତ୍ର ରହିଛି ।