ଖେରସନ୍ କବଜା କଲେ ରୁଷ ସେନା, ପାରାଟ୍ରୁପର୍ସ ମାନେ ଖାରକିଭ୍ ର ହସ୍ପିଟାଲରେ କରିଛନ୍ତି ଗୁଳି ବର୍ଷା
ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆଜି ଯୁଦ୍ଧର ସପ୍ତମ ଦିନ ହୋଇଥିବା ବେଳେ ରାଜଧାନୀ କିଭ୍ ଉପରେ ଲଗାତର ଆକ୍ରମଣ କରିଚାଲିଛନ୍ତି ରୁଷ ସେନା । ଗତକାଲି ମିସାଇଲ୍ ଦ୍ୱାରା ୟୁକ୍ରେନର ଏକ ପ୍ରଶାସନିକ ଭବନକୁ ଉଡାଇ ଦେଇଥିଲେ । ଆକ୍ରମଣ ଜାରି ରହିଥିବାରୁ ଲୋକମାନଙ୍କୁ ସୁଡଙ୍ଗ ଓ ଘର ଭିତରେ ଲୁଚି ରହିବାକୁ କୁହାଯାଉଛି । ଏହାସବୁ ବିବାଦ ପରେ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଙ୍କ ସହିତ ଫୋନ୍ ଜରିଆରେ କଥାବାର୍ତ୍ତା ହୋଇଛନ୍ତି । ଇଣ୍ଟରନ୍ୟାସନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ ରେ ୟୁକ୍ରେନ ସଙ୍କଟ ଉପରେ ମାର୍ଚ୍ଚ ୭ ଓ ୮ ତାରିଖରେ ଶୁଣାଣି ହେବ ବୋଲି ଜଣାପଡ଼ିଛି ।
ତେବେ ଖାରକିଭ୍ ରେ ମଧ୍ୟ ଆଜି ସକାଳୁ ମିସାଇଲ୍ ଆକ୍ରମଣ ଆରମ୍ଭ ହୋଇଯାଇଛି । ହେଲେ ଏହା ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମନାକୁ ଆସିଛି । ପାରାଟ୍ରୁପର୍ସ ମାନେ ଖାରକିଭ୍ ର ହସ୍ପିଟାଲରେ ଗୁଳିକାଣ୍ଡ ଆରମ୍ଭ କରିଦେଇଛନ୍ତି । ଫଳରେ ସେଠାରେ ଚିକିତ୍ସିତ ହେଉଥିବା ଲୋକମାନେ ଭୟରେ ରହିଛନ୍ତି । ଅନ୍ୟପଟେ ରୁଷ ସେନା ଖେରସନ୍ ଉପରେ କବଜା କରିସାରିଛି । ସେହିପରି ଖାରକିଭ୍ ଓ କିଭ୍ ରେ ବିସ୍ଫୋରଣ ଜାରି ରହିଛି ।