fbpx

ହଜାର ହଜାର ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ: କେମିତି ସୁଝିବେ ୩୦ରୁ ୫୦ ଲକ୍ଷର ଲୋନ୍

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ବିଶ୍ୱବାସୀଙ୍କ ସମ୍ମୁଖରେ ଏକ ଶନିଦଶା ଭାବେ ଠିଆ ହୋଇଛି । ତେବେ ବର୍ତ୍ତମାନଠାରୁ ଖାଇବା ତେଲ, ପେଟ୍ରୋଲ, ଡିଜେଲର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଲାଣି । ଏହି ଭୟଙ୍କର ଯୁଦ୍ଧର ପରିଣତି ନିଶ୍ଚିତ ଭାବେ ଦୟନୀୟ ସ୍ଥିତି ଆଡ଼କୁ ଗତି କରିବ । ତେବେ ବର୍ତ୍ତମାନର ସବୁଠାରୁ ବଡ଼ ସମସ୍ୟା ହେଉଛି ୟୁକ୍ରେନରେ ଫସିଥିବା ହଜାର ହଜାର ଭାରତୀୟ ଛାତ୍ରଙ୍କ ଭବିଷ୍ୟତ । ଅପରେସନ ଗଙ୍ଗା ମାଧ୍ୟମରେ ଭାରତ ସରକାର ୟୁକ୍ରେନରୁ ମେଡିକାଲ ଛାତ୍ରମାନନଙ୍କୁ ଉଦ୍ଧାର ଜାରି ରଖିଛନ୍ତି । ଏହା ମଧ୍ୟରେ ରକେଟ ମାଡ଼ରେ ଜଣେ ଭାରତୀୟ ଛାତ୍ର ମୃତ୍ୟୁବରଣ କରିଥିବା ବେଳେ ଆଜି ଜଣେ ଗୁଳିମାଡ଼ର ଶିକାର ହୋଇଛନ୍ତି ।

ତେବେ ଯେଉଁ ଛାତ୍ରମାନେ ସ୍ୱଦେଶ ଫେରି ଆସୁଛନ୍ତି ସେମାନଙ୍କର ମୁହଁରେ ହସ ସିନା ଫୁଟି ଉଠୁଛି, କିନ୍ତୁ ଅନ୍ତର କାନ୍ଦୁଛି । କ’ଣ ହେବ ସେମାନଙ୍କର ଭବିଷ୍ୟତ, କେମିତି ସମାପ୍ତ କରିବେ ମେଡିକାଲ ଡିଗ୍ରୀ । ଲକ୍ଷ ଲକ୍ଷ ଟଙ୍କା ଲୋନ୍ କରି କିଛି ଛାତ୍ର ବିଦେଶ ଯାଇଥିଲେ ମେଡିକାଲ ପଢ଼ିବା ପାଇଁ, ସେମାନେ ଏବେ କେମିତି ସୁଝିବେ ଏହି ମୋଟା ଅଙ୍କର ଅର୍ଥ । କିଛି ପିଲାଙ୍କର ମେଡିକାଲ ପାଠ ଶେଷ ବର୍ଷ ଚାଲୁଥିଲା, ସେମାନେ ଏବେ କରିବେ କ’ଣ? ଆଗକୁ ସେମାନଙ୍କର ପାଠପଢ଼ା ଅନଲାଇନରେ ଜାରି ରହିବ କି କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ ୟୁନିଭରସିଟି ମାଟିରେ ମିଶିବ? କେଉଁ ଛାତ୍ର ମୁଣ୍ଡରେ ୩୦ ଲକ୍ଷ ତ ଆଉ କାହା ମୁଣ୍ଡରେ ୫୦ ଲକ୍ଷର ଋଣ ରହିଛି ।

ବର୍ତ୍ତମାନ ୟୁକ୍ରେନରେ ଯୁଦ୍ଧ ଜାରି ରହିଥିବା ବେଳେ ଛାତ୍ରଛାତ୍ରମାନେ ପଢ଼ୁଥିବା ବିଶ୍ୱବିଦ୍ୟାଳୟ ସହିତ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ସେଠାକାର ବିଶ୍ୱବିଦ୍ୟାଳୟଗୁଡ଼ିକର ଅବସ୍ଥା ମଧ୍ୟ ଦାରୁଣ ହୋଇ ରହିଛି । ଆଗକୁ ଆହୁରି ଭୟଙ୍କର ହେବାର ଆଶଙ୍କା କରାଯାଉଛି । ୟୁକ୍ରେନରେ ପାଖାପାଖି ୧୮ ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ କ’ଣ ହେବ ସେମାନଙ୍କର ଭବିଷ୍ୟତ?

Get real time updates directly on you device, subscribe now.