fbpx

ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: FMGL ରେଗୁଲେସନ ଆକ୍ଟରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି ୟୁକ୍ରେନ-ରୁଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୦ ଦିନରେ ପହଞ୍ଚିଛି । ତେବେ ଏହି ଯୁଦ୍ଧରେ ସବୁଠାରୁ କ୍ଷତିଗ୍ରସ୍ତ ହୋଇଛନ୍ତି ହଜାର ହଜାର ଭାରତୀୟ ମେଡିକାଲ ଛାତ୍ରଛାତ୍ରୀ । ଇତିମଧ୍ୟରେ ଭାରତ ସରକାର ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ମେଡିକାଲ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶକୁ ଫେରାଇ ଆଣୁଛନ୍ତି । ତେବେ ଛାତ୍ରଛାତ୍ରୀଙ୍କର ଜୀବନ ବଞ୍ଚିଯାଇଥିଲେ ହେଁ ସେମାନଙ୍କର ବଢ଼ିଯାଇଛି ସମସ୍ୟା । କାରଣ ଅନେକ ଛାତ୍ର ଲକ୍ଷ ଲକ୍ଷ ଟଙ୍କାର ଲୋନ୍ କରି ୟୁକ୍ରେନର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ପଢ଼ୁଥିଲେ । କାହାର ଶେଷ ବର୍ଷ ତ ଆଉ କାହାର ୫ ବର୍ଷ ପାଠପଢ଼ା ସରିଥିବା ବେଳେ ଏବେ ଡିଗ୍ରୀ କେମିତି ସମାପ୍ତ ହେବ ସେନେଇ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନେ ଚିନ୍ତାରେ ବୁଡ଼ି ରହିଛନ୍ତି ।

ତେବେ ଏଭଳି କଠିନ ସମୟରେ ଭାରତ ସରକାରଙ୍କ ତରଫରୁ ଏକ ଖୁସି ଖବର ଆସିଛି । ଫରେନ୍ ମେଡିକାଲ ଗ୍ରାଜୁଏଟ ଲାଇସେନ୍ସିଂ (ଏଫଏମଜିଏଲ) ଆକ୍ଟରେ ବଡ଼ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି ଭାରତ ସରକାର । ଛାତ୍ରଛାତ୍ରୀଙ୍କ କ୍ୟାରିୟର ଯେଭଳି ବିପନ୍ନ ନହୁଏ, ସେଥିପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ଉଠାଇବାକୁ ଯାଉଛନ୍ତି । ପୂର୍ବରୁ ବିଦେଶରେ ମେଡିକାଲ ପାଠ ପଢ଼ୁଥିବା ଛାତ୍ରମାନଙ୍କୁ କୋର୍ସ ସରିବା ପରେ ସେଠାରେ ଟ୍ରେନିଂ ଓ ଇଣ୍ଟରସିପ୍ କରିବାକୁ ପଡ଼ୁଥିଲା । ଏଣିକି ବିଦେଶରେ ମେଡିକାଲ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଭାରତରେ ଇଣ୍ଟରସିପ୍ ସମାପ୍ତ କରିପାରିବେ । ଏହାପୂର୍ବରୁ ବାହାରେ ପାଠ ପଢ଼ୁଥିବା ପିଲାଙ୍କୁ ଦେଶ ଭିତରେ ଏହି ସୁବିଧା ମିଳୁନଥିଲା ।

ଏନେଇ ନ୍ୟାସନାଲ ମେଡିକାଲ କମିଶନ (ଏନଏମସସ)ଙ୍କ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି । ସର୍କୁଲାରରେ କୁହାଯାଇଛି ଯେ, ଯେଉଁ ବିଦେଶୀ ମେଡିକାଲ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କର ଇଣ୍ଟର୍ଣ୍ଣସିପ୍ ଅଧାରେ ରହିଛି, ସେମାନେ ଭାରତରେ ତାହାକୁ ସମ୍ପୂର୍ଣ୍ଣ କରିପାରିବେ । ସରକାରଙ୍କର ଏହି ଘୋଷଣା ପରେ ୟୁକ୍ରେନରୁ ଫେରିଥିବା ୨୫ ହଜାର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ।

Get real time updates directly on you device, subscribe now.