ପଶ୍ଚିମବଙ୍ଗ ସରକାର ରାଜ୍ୟର ୭ ଜିଲ୍ଲାରେ ୮ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ତରଫରୁ ଜାରି ହୋଇଥିବା ଆଦେଶ ଅନୁସାରେ ପଶ୍ଚିମବଙ୍ଗର ମାଲଦା, ମୁର୍ଶିଦାବାଦ, ଉତ୍ତର ଦିନାଜପୁର, କୁଚବିହାର, ଜଲପାଇଗୁଡ଼ୀ, ବୀରଭୂମି ଏବଂ ଦାର୍ଜିଲିଙ୍ଗ ଜିଲ୍ଲାରେ ଇଣ୍ଟରନେଟ୍ ସ୍ଥଗିତ କରାଯିବ ।
ମିଳିଥିବା ସୂଚନା ଅନୁଯାୟୀ ଏହି ସବୁ ଜିଲ୍ଲାର କିଛି ଅଞ୍ଚଳରେ ୭ରୁ ୯ ମାର୍ଚ୍ଚ, ୧୧ ରୁ ୧୨ ମାର୍ଚ୍ଚ ଏବଂ ୧୫ ରୁ ୧୬ ମାର୍ଚ୍ଚ ସକାଳ ୧୧ ଟାରୁ ଦ୍ୱିପ୍ରହର ୩:୧୫ ମିନିଟ୍ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯିବ । ଏହି ସମୟରେ ଭଏସ କଲ, ଏସଏମଏସ ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବ ନାହିଁ ।
ତେବେ ସରକାରଙ୍କ ଏହି ନିଷ୍ପତ୍ତି ଆଗାମୀ ରାଜ୍ୟ ବୋର୍ଡ ପରୀକ୍ଷାରେ କପି ରୋକିବା ପାଇଁ ନିଆଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷ ୧୦ମ ପରୀକ୍ଷା ୭ ମାର୍ଚ୍ଚରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ ୧୬ ରେ ଶେଷ ହେବ । ରାଜ୍ୟର ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି ଯେ ଏହି ସମୟରେ କିଛି ଅଞ୍ଚଳରେ ଅବୈଧ ଗତିବିଧି ହେବା ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଏପରି ନିଷ୍ପତ୍ତି ଯାଇଛି ।