fbpx

ଅନ୍ଧବିଶ୍ୱାସକୁ ହରାଇବା ସହିତ କ୍ଷମତାକୁ ଫେରିଲେ ଯୋଗୀ: ଭାଙ୍ଗିଲେ ଏହି ସବୁ ରେକର୍ଡ

ନୂଆଦିଲ୍ଲୀ : ଉତରପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ଅନେକ ନୂଆ ରେକଡର଼୍ ସୃଷ୍ଟି କରିଛନ୍ତି  । ୧୯୫୨ରୁ ଏଯାବତ ୭୦ ବର୍ଷ ମଧ୍ୟରେ ୨୧ ଜଣ ନେତା ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି  । ଯୋଗୀ ଆଦିତ୍ୟନାଥ ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏକି ୫ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛନ୍ତି  । ଖାଲି ସେତିକିନୁହେଁ ରାଜ୍ୟର ପଂଚମ ମୁଖ୍ୟମନ୍ତ୍ରୀ ଭାବେ ସେ ଦ୍ୱିତୀୟ ପାଳି ସରକାର ଗଢ଼ିବେ  । ଏହା ପୂର୍ବରୁ ୧୯୫୭ରେ ସମ୍ପୂର୍ଣ୍ଣାନନ୍ଦ, ୧୯୬୨ରେ ଚନ୍ଦ୍ରଭାନୁ ଗୁପ୍ତା, ୧୯୭୪ରେ ହେମବତି ନନ୍ଦନ ବହୁଗୁଣା ଓ ୧୯୮୫ରେ ନାରାୟଣ ଦତ ତିୱାରୀ ଲଗାତର ଦ୍ୱିତୀୟ ଥର ସରକାର ଗଢ଼ିଥିଲେ  । ୧୯୮୫ ପରେ ଅର୍ଥାତ ୩୭ ବର୍ଷ ପରେ ଯୋଗୀ ଆଦିତ୍ୟ ନାଥ ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି  ।

ନୋଏଡ଼ାକୁ ନେଇ ରହିଥିବା ଏକ ଅନ୍ଧବିଶ୍ୱାସକୁ ବି ଯୋଗୀ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି  । ଯେଉଁ ମୁଖ୍ୟମନ୍ତ୍ରୀ ନୋଏଡ଼ା ଯାଇଥା’ନ୍ତି ସେ ୫ ବର୍ଷ କ୍ଷମତାରେ ରହିପାରନ୍ତି ନାହିଁ, କିମ୍ବା ପରାଜୟର ସମ୍ମୁଖୀନ ହେବାକୁ ପଡେ଼  । କିନ୍ତୁ ଏହି ଅନ୍ଧ ବିଶ୍ୱାସକୁ ନମାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଗୀ ୨୦୧୮ ଡିସେମ୍ବର ୨୫ରେ ଦିଲ୍ଲୀ ମେଟ୍ରୋ ମାଜେଂଟା ଲାଇନ ଉଦଘାଟନ କରିଥିଲେ  । କିନ୍ତୁ ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ କ୍ଷମତା ହାସଲ କରିଥିବାବେଳେ ଏବେ ଯୋଗୀ ଆଦିତ୍ୟନାଥ କ୍ଷମତା ହାସଲ କରିଛନ୍ତି  ।

ଅତୀତରେ ଉତରପ୍ରଦେଶରେ ବିଜେପି ସରକାର ଗଢ଼ିଛି  । ଆଦିତ୍ୟନାଥଙ୍କ ପୂର୍ବରୁ କଲ୍ୟାଣ ସିଂ, ରାମପ୍ରକାଶ ଗୁପ୍ତା ଓ ରାଜନାଥ ସିଂ ମଧ୍ୟ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ  । କିନ୍ତୁ ଯୋଗୀ ଆଦିତ୍ୟନାଥ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ସରକାର ଗଢ଼ିବେ  । ସେହିପରି ୧୫ ବର୍ଷ ପରେ ବିଧାନସଭାର ବିଧାୟକ ଭାବେ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିବେ ଯୋଗୀ ଆଦିତ୍ୟନାଥ  । କାହିଁକିନା ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ମାୟାବତୀ ବିଧାନ ପରିଷଦର ସଭ୍ୟ ଥିବାବେଳେ ଅଖିଳେଶ ଯାଦବ ମଧ୍ୟ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ବିଧାନ ପରିଷଦର ସଭ୍ୟ ଥିଲେ  । ସେହିପରି ଯୋଗୀ ବି ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେବାବେଳେ  ଲୋକସଭାର ସାଂସଦ ରହିଥିଲେ  । ପରେ ସେ ବିଧାନ ପରିଷଦରୁ ନିର୍ବାଚିତ ହୋଇଥିଲେ  ।

 

Get real time updates directly on you device, subscribe now.