IPL ପୂର୍ବରୁ ରାହୁଲଙ୍କୁ ଝଟକା: ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲେ ଲକ୍ଷ୍ନୌର ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସିଜନ ପୂର୍ବରୁ କେ.ଏଲ ରାହୁଲଙ୍କ ଟିମ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଜଣେ ଷ୍ଟାର ଖେଳାଳି ଟୁର୍ଣ୍ଣାମେଣ୍ଟରୁ ସମ୍ପୂର୍ଣ୍ଣ ଭାବରେ ବାଦ ପଡିଛନ୍ତି । ଏହି ଖେଳାଳି ଜଣକ ହେଉଛନ୍ତି ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ । ଆହତ ଜନିତ ସମସ୍ୟା କାରଣରୁ ସେ ଦଳରୁ ବାଦ ପଡିଥିବା ସୂଚନା ମିଳିଛି । ଉଡଙ୍କ ଡାହାଣ କହୁଣୀରେ ଆଘାତ ଯୋଗୁଁ ସେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ ।

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ମାର୍କ ଉଡଙ୍କ ଡାହାଣ କହୁଣୀରେ ଆଘାତ ଲାଗିଛି । ତେଣୁ ସେ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗରୁ ବାଦ ପଡିଛନ୍ତି । ଚଳିତ ସିଜନ ପାଇଁ ହୋଇଥିବା ମେଗା ଅକ୍ସନରେ ମାର୍କ ଉଡଙ୍କୁ ୭.୫ କୋଟି ଟଙ୍କାରେ କିଣିଥିଲା ସୁପର ଜିଆଣ୍ଟସ । ତେଣୁ ଏବେ ତାଙ୍କ ବିକଳ୍ପ ଭାବରେ ଅନସୋଲ୍ଡ ରହିଥିବା ଅନ୍ୟ ବୋଲରମାନଙ୍କ ମଧ୍ୟରୁ କାହାକୁ ଦଳରେ ସାମିଲ କରିବ ଲକ୍ଷ୍ନୌ । ସେପଟେ ଦଳ ନିକଟରେ ଥିବା ଅନ୍ୟ ବିଦେଶୀ ଦ୍ରୁତ ବୋଲର ନିଜ ନିଜ ଦଳ ପାଇଁ ଏବେ ଗସ୍ତରେ ରହିଛନ୍ତି । ଯାହା ରାହୁଲଙ୍କ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି ।