ନୂଆଦିଲ୍ଲୀ: କ୍ରୀଡା ଜଗତରେ ହରିୟାଣାର ମହିଳା କୁବ ଆଗକୁ ଯାଇଛନ୍ତି । ଏହାର ଆଉ ଏକ ଉଦାହରଣ ହେଉଛନ୍ତି ଗୁରୁଗ୍ରାମ ଜିଲ୍ଲା ବଜୀରାବାଦ ଗ୍ରାମର ତିନି ଭଉଣୀ । ବିଶ୍ୱ ତାଇକ୍ୱାଣ୍ଡୋ ଚମ୍ପିଆନସିପ ୨୦୨୨ରେ ଭାରତର ପ୍ରତିନିଧିତ୍ୱ କରିବେ ପ୍ରିୟା, ଗୀତା ଏବଂ ରିତୁ । ଦକ୍ଷିଣ ଆଫ୍ରିକାର ଗୋୟାଙ୍ଗ ସହରରେ ୨୧ରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ଚାଲୁ ରହିବ ଏହି ଚମ୍ପିଆସିପ । ପୂର୍ବରୁ ମଧ୍ୟ ଏମାନେ ଏକାସାଙ୍ଗରେ ଅନେକ ଇଭେଣ୍ଟରେ ଖେଳି ସାରିଛନ୍ତି ।
ବିଶ୍ୱ ତାଇକ୍ୱାଣ୍ଡୋ ଚମ୍ପିଆନସିପ ୨୦୨୨ ପାଇଁ ଗତ ଫେବୃୟାରୀରେ ଦେଶରୁ ମୋଟ ୧୦୫୦ ଜଣ ଭାଗ ନେଇଥିବା ବେଳେ ଏହି ତିନି ଭଉଣୀ ନିଜ ନିଜ ଶ୍ରେରୀରେ ସ୍ଥାନ ପକ୍କା କରିଛନ୍ତି । ଏବେ ସେମାନେ ବିଶ୍ୱ ତାଇକ୍ୱାଣ୍ଡୋ ଚମ୍ପିଆନସିପରେ ଏକା ସହିତ ଖେଳିବାକୁ ଯାଉଛନ୍ତି । ସେମାନଙ୍କର ଏହି ସଫଳତା ପରେ ପରିବାରରେ ଖୁସିର ଲହର ଖେଳିଯାଇଛି । ତେବେ ବଜୀରାବାଦର ଜିତେନ୍ଦ୍ର ସାହୁଙ୍କ ତିନି ଝିଅ ଏବେ ବି ନିଜ ପାଠପଢା ଚାଲୁ ରଖିଛନ୍ତି । ଜିତେନ୍ଦ୍ର କିଛି କାମ କରନ୍ତି ନାହିଁ । ମିଳୁଥିବା ଭଡାରେ ପରିବାର ପ୍ରତିପୋଷଣ କରନ୍ତି ଜିତେନ୍ଦ୍ର । ଏହାରି ମଧ୍ୟରେ ପ୍ରତିଦିନ ସକାଳୁ ୪ ଏବଂ ସନ୍ଧ୍ୟାରେ ୪ ଘଣ୍ଟା ଲେଖାଏଁ ବାପା ଅଭ୍ୟାସ କରାଇଥାନ୍ତି । ଏମିତି କି ଘରେ ଆଧୁନିକ ଉପକରଣ ମଧ୍ୟ ସେ ଯୋଗାଇ ଦେଇଛନ୍ତି ପିଲାଙ୍କ ଅଭ୍ୟାସ ପାଇଁ । ସେଥିପାଇଁ ଝିଅମାନେ ବାପାଙ୍କ କଷ୍ଟର ମୂଲ୍ୟ ପଦକ ଆକାରରେ ଆଣି ଦେଇଥାନ୍ତି ।
ଗୀତା ୨୦୧୮ରେ ବିଶ୍ୱ ଚମ୍ପିଆନସିପରେ ଭାରତର ପ୍ରତିନିଧିତ୍ୱ କରିବା ସହିତ ୨୦୧୯ରେ ରଜତ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି । ସେହିପରି ଅନେକ ରାଷ୍ଟ୍ରୀୟ ପଦକ ହାସଲ କରିଥିବା ରିତୁ ମଧ୍ୟ ୨୦୧୯ରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ଜିତେନ୍ଦ୍ରଙ୍କ ବଡ ଝିଅ ପ୍ରିୟା ମଧ୍ୟ ପଛରେ ରହି ନାହାନ୍ତି । ଓପନ ଇଣ୍ଟରନେସନାଲ ଚମ୍ପିଆନସିପରେ ଅନେକ ଥର ଦେଶର ପ୍ରତିନିଧିତ୍ୱ କରି ପଦକ ଜିତିବାରେ ସଫଳ ହୋଇଛନ୍ତି । ଏହାସହ ଅଲ ଇଣ୍ଡିଆ ୟୁନିଭର୍ସିଟି ଚମ୍ପିଆନସିପରେ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି ପ୍ରିୟା ।