fbpx

ବସ୍ତି ବାସିନ୍ଦାଙ୍କ ଭୋଟ ନିର୍ଣ୍ଣୟ କରିବ କିଏ ହେବ ଭୁବନେଶ୍ୱର ମେୟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ସିଟ୍ ପାଇଁ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । ବିଜେଡିରୁ ସୁଲୋଚନା ଦାସ, ବିଜେପିରୁ ସୁନୀତି ମୁଣ୍ଡ ଓ କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ମେୟର ପ୍ରାର୍ଥୀ ଭାବେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ । ତେବେ ଗତକାଲି ପୌର ନିର୍ବାଚନ ଭୋଟ ସରିଥିବା ବେଳେ ଆସନ୍ତାକାଲି ଘୋଷଣା ହେବ ରେଜଲ୍ଟ । କିଏ ଜିତିବ, କିଏ ହାରିବ ରେଜଲ୍ଟ ଘୋଷଣା ପୂର୍ବରୁ ତାହା କହିବା ତ ଅସମ୍ଭବ । ମାତ୍ର ରାଜନୈତିକ ଗଣିତ, ଜନତାଙ୍କ ମତାମତ, ଚା ଖଟିର ଚର୍ଚ୍ଚାରୁ ଫଳାଫଳର ସମ୍ୟକ ସୂଚନା ମିଳିଥାଏ ।

ଏଥର ମେୟର ସିଟ ହାତେଇବା ଶାସକ ବିଜେଡି ପାଇଁ ଏକ ସମ୍ମାନର ପ୍ରଶ୍ନ । କାରଣ ରାଜ୍ୟର ହୃଦପିଣ୍ଡ ରାଜଧାନୀ ଭୁବନେଶ୍ୱରରେ କେଉଁ ଦଳର ପତିଆରା ରହିବ ତାହା ମେୟର ଭୋଟ ନିର୍ଦ୍ଧାରଣ କରିବ । ନିଜର ସମ୍ମାନ ବଞ୍ଚାଇବା ପାଇଁ ବିଜେଡି ଏକାମ୍ର, ମଧ୍ୟ ଓ ଉତ୍ତର ତିନି ବିଧାୟକଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲା । ସୁଲୋଚନାଙ୍କୁ ଜିତାଇ ନିଜ ନିଜର ପତିଆରା ବୃଦ୍ଧି ପାଇଁ ଏହି ନେତାମାନେ ଯଥାସାଧ୍ୟ ପ୍ରୟାସ କରିଥିଲେ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ମଧ୍ୟ ଏହି ନିର୍ବାଚନ ବଡ଼ ସମ୍ମାନର ପ୍ରଶ୍ନ । ୨୦୧୯ ନିର୍ବାଚନ ପରି ଚଳିତ ଥର ଅପରାଜିତ କମାଲ କରି ସୁନୀତିଙ୍କୁ ଜିତାଇବାକୁ କଡ଼ା ସଂଘର୍ଷ କରିଥିଲେ । ଦଳର ଅନ୍ୟ ହେଭିୱେଟଙ୍କୁ ପ୍ରାୟତଃ ପ୍ରଚାର ସମୟରେ ଦେଖିବାକୁ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତାଙ୍କ ପାଇଁ ଜଟଣୀ ବିଧାୟକ ସୁର ରାଉତରାୟ ପ୍ରଚାର କରୁଥିବା ବେଳେ ବରିଷ୍ଠ ନେତାମାନଙ୍କର ଦେଖା ମିଳିନଥିଲା ।
ଏଥର ଭୁବନେଶ୍ୱରରେ ଭୋଟର ହାର ରହିଛି ୫୦ ପ୍ରତିଶତରୁ ଅଧିକ । ଭୁବନେଶ୍ୱରର ସମସ୍ତ ୱାର୍ଡର ମୋଟ ଭୋଟ ସଂଖ୍ୟା ୭ ଲକ୍ଷରୁ ଅଧିକ ହେବ । ସେଥିମଧ୍ୟରୁ ପାଖାପାଖି ଅଢ଼େଇ ଲକ୍ଷ ହେଉଛି ବସ୍ତି ଭୋଟ । ଅଧିକାଂଶ ଶିକ୍ଷିତ ଭୋଟର ମତଦାନଠାରୁ ଦୂରେଇ ରହୁଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବସ୍ତି ଅଞ୍ଚଳରେ ଭୋଟ ହାର ଅଧିକ ରହିଥାଏ । ତେଣୁ ବସ୍ତି ବାସିନ୍ଦା ଯେଉଁ ପ୍ରାର୍ଥୀଙ୍କୁ ଅଧିକ ମାତ୍ରାରେ ସମର୍ଥନ କରିବେ, ସେ ହିଁ ପୌର ନିର୍ବାଚନରେ ବିଜୟ ଲାଭ କରିବେ ।

Get real time updates directly on you device, subscribe now.