fbpx

ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦ ହୋଇପାରନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ !

ଇସଲାମାବାଦ: ପାକିସ୍ତାନର ତେହରିକ- ଏ- ଇନସାଫ(ପିଟିଆଇ) କୋର କମିଟିର ପରାମର୍ଶ ଏବଂ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କ ନାମ ନାମିତ କରିଛନ୍ତି। ପିଟିଆଇ ନେତା ଫଓ୍ଵାଦ ଚୌଧୁରୀ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି।

ଗୁଲଜାର ଅହମ୍ମଦ ୨୦୧୯ ଡିସେମ୍ବର ୨୧ରୁ ୨୦୨୨ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ପାକିସ୍ତାନର ୨୭ତମ ମୁଖ୍ୟ ବିଚାରପତି ଥିଲେ। ୧୯୫୭ ଫେବୃଆରୀ ୨ରେ ଜନ୍ମିତ ଅହମ୍ମଦଙ୍କ ପିତା ନୁର ମହମ୍ମଦ କରାଚିରେ ବଡ ଓକିଲ ଥିଲେ। ଅହମ୍ମଦ ନିଜର ପ୍ରାରମ୍ଭିକ ପାଠପଢା କରାଚି ସ୍ଥିତ ଗୁଲିସ୍ତାନ ସ୍କୁଲରେ ପୂରା କରିଥିଲେ। ଏହା ପରେ କରାଚିର ସରକାରୀ ନ୍ୟାସନାଲ କଲେଜରୁ ବିଏରେ ଡିଗ୍ରୀ ହାସଲ କରିଥିଲେ ଏବଂ ସିନ୍ଧ ମୁସଲିମ ଆଇନ କଲେଜରୁ ଆଇନରେ ପ୍ରଶିକ୍ଷଣ ନେଇଥିଲେ।

ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ଇମ୍ରାନ ଖାନଙ୍କୁ ଚିଠି ଲେଖି କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀଙ୍କ ଭାବେ ନିଯୁକ୍ତି ପାଇଁ କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ନାମ ଦେବାକୁ କହିଥିଲେ। ସେହି ପରି ରାଷ୍ଟ୍ରପତି ନ୍ୟାସନାଲ ଆସେମ୍ବଲିର ବିରୋଧୀ ଦଳର ନେତା ଶେହବଜ ସରିଫଙ୍କୁ ମଧ୍ୟ ଚିଠି ଲେଖି ଯୋଗ୍ୟ ନାମ ଉପରେ ପ୍ରସ୍ତାବ ଦେବାକୁ କହିଥିଲେ। ଯେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇ ନାହାନ୍ତି, ସେ ପର୍ଯ୍ୟନ୍ତ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ରହିବେ। ଅନ୍ୟପଟେ କ୍ୟାବିନେଟ୍ ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଇମ୍ରାନ ଖାନ ତତ୍କାଳ ପ୍ରଭାବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରେ ନାହାନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବଲିରେ ଇମ୍ରାନ ଖାନଙ୍କୁ ବହୁମତ ପାଇଁ ୧୭୨ ସିଟ୍ ଦରକାର ଥିଲା। ତେବେ ତାଙ୍କ ପାଖରେ ୧୭୪ ସାଂସଦଙ୍କ ସମର୍ଥନ ଥିବା ଦାବି କରିଥିଲେ ବିରୋଧୀ ଦଳ। ଅର୍ଥାତ ଇମ୍ରାନ ଖାନ ଗୃହରେ ବହୁମତ ହରାଇ ସାରିଛନ୍ତି।

Get real time updates directly on you device, subscribe now.