ବିଲାସପୁର: ଛୁଆକୁ କଷ୍ଟଡିରେ ନେବାକୁ ନେଇ ଛତିଶଗଡ଼ ହାଇକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇନ୍ତି । ଫ୍ୟାମିଲି କୋର୍ଟର ଆଦେଶକୁ ଖାରଜ କରିଛନ୍ତି ହାଇକୋର୍ଟ, ଯେଉଁଥିରେ ପିତାକୁ ଛୁଆର କଷ୍ଟଡି ଦିଆଯାଇଥିଲା । ହାଇକୋର୍ଟ କହିଛନ୍ତି ଯେ, ଯଦି କୌଣସି ମହିଳା ସ୍ୱାମୀଙ୍କ ଇଚ୍ଛା ଅନୁସାରେ ନଚାଲନ୍ତି, ତେବେ ତାଙ୍କୁ ଶିଶୁର କଷ୍ଟଡିରୁ ବଞ୍ଚିତ କରାଯିବନି ।
ରିପୋର୍ଟ ଅନୁସାରେ, ଜଷ୍ଟିସ୍ ଗୌତମ ଭାଦୁଡ଼ି ଓ ଜଷ୍ଟିସ ସଞ୍ଜୟ ଏସ ଅଗ୍ରୱାଲଙ୍କ ଖଣ୍ଡପୀଠ ୧୪ ବର୍ଷୀୟ ବାଳକର କଷ୍ଟଡି ସହ ସମ୍ବନ୍ଧିତ ମାମଲାରେ ଶୁଣାଣି କରି କହିଛନ୍ତି ଯେ, ପୁରୁଷ ସହଯୋଗୀଙ୍କ ସହ ବୁଲିବା ବା ଜିନ୍ସ ଟପ୍ ପିନ୍ଧିବାରୁ କୌଣସି ମହିଳାଙ୍କ ଚରିତ୍ର ଆକଳନ କରିବା ଉଚିତ୍ ନୁହେଁ । ଏହା ସହ ଫ୍ୟାମିଲି କୋର୍ଟର ଆଦେଶକୁ ଖାରଜ କରି ମା’କୁ ଛୁଆର କଷ୍ଟଡି ଦେଇଛନ୍ତି ହାଇକୋର୍ଟ ।
ସୂଚନା ଅନୁସାରେ, ମହାସମୁଂଦ ବାସିନ୍ଦା ଏକ ଦମ୍ପତ୍ତିଙ୍କ ବିବାହ ୨୦୦୭ରେ ହୋଇଥିଲା । ସେହିବର୍ଷ ଡିସେମ୍ବର ମାସରେ ସେମାନଙ୍କର ଏକ ପତ୍ର ସନ୍ତାନ ଜନ୍ମ ହୋଇଥିଲା । ବିବାହର ୫ ବର୍ଷ ପରେ ସେମାନେ ୨୦୧୩ରେ ଦୁହେଁ ଆପୋଷ ବୁଝାମଣାରେ ଛାଡ଼ପତ୍ର ନେଇଥିଲେ । ଦୁହେଁ ନିଷ୍ପତ୍ତି ନେଇଥିଲେ କି, ପୁଅ ମା’ ପାଖରେ ରହିବ । ଏହା ପରେ ଛୁଆର ମା’ ଏକ ଘରୋଇ ସଂସ୍ଥାରେ ଆସିଷ୍ଟାଣ୍ଟ ଭାବେ ଚାକିରି କରିବାକୁ ଲାଗିଲେ ।
୨୦୧୪ରେ ଛୁଆର ପିତା ମହାସମୁଂଦର ଫ୍ୟାମିଲି କୋର୍ଟରେ ପୁଅର କଷ୍ଟଡୀ ପାଇଁ ଆବେଦନ କରିଥିଲେ । ପିତା ଆବେଦନରେ କହିଥିଲେ ଯେ, ‘ତାଙ୍କ ପତ୍ନୀ ଅଫିସରେ ପୁରୁଷ ସହଯୋଗୀଙ୍କ ସହ ବାହାରେ ବୁଲାବୁଲି କରୁଛନ୍ତି । ଏହା ସହ ଜିନ୍ସ-ଟପ୍ ପିନ୍ଧୁଛନ୍ତି ଓ ତାଙ୍କ ଚରିତ୍ର ବି ଠିକ୍ ନାହିଁ । ଏଥିପାଇଁ ତାଙ୍କ ସହ ରହିବା ଦ୍ୱାରା ପିଲା ଉପରେ ଖରାପ ପ୍ରଭାବ ପଡିବ ।’
ଆବେଦନକାରୀଙ୍କ ବୟାନ ଆଧାରରେ ଫ୍ୟାମିଲି କୋର୍ଟ ୨୦୧୬ରେ ଛୁଆର କଷ୍ଟଡି ମା’ର ସ୍ଥାନରେ ପିତାଙ୍କୁ ଦେଇଥିଲେ । ଛୁଆର ମା’ ଫ୍ୟାମିଲି କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ବୁଧବାର ଦିନ ଫ୍ୟାମିଲି କୋର୍ଟଙ୍କ ଆଦେଶକୁ ଖାରଜ କରି ଛୁଆର କଷ୍ଟଡି ମା’କୁ ଦେଇଛନ୍ତି । ଛୁଆ ଉଭୟ ମାତା-ପିତାଙ୍କ ସ୍ନେହ-ପ୍ରେମ ପାଇବାକୁ ହକଦାର । ଏଥିପାଇଁ ପିତାଙ୍କୁ ନିଜ ପୁଅ ସହିତ ଦେଖାହେବା ଓ ସମ୍ପର୍କ ରଖିବାକୁ ହାଇକୋର୍ଟ ସୁବିଧା ଦେଇଛନ୍ତି ।