୬ ମାସ୍ ଭିତରେ ଶ୍ରୀଲଙ୍କାର ସ୍ଥିତିରେ ଆସି ପାରିବ ସୁଧାର: ବାସ କେବଳ ଏହି ଜିନିଷର ରହିଛି ଆବଶ୍ୟକତା

ନୂଆଦିଲ୍ଳୀ: ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ଏବେ ଏକ ମହା ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶରେ ଇନ୍ଧନ ଏବଂ ଔଷଧ ଇତ୍ୟାଦିର ସଙ୍କଟ ଦେଖାଦେଇଛି । ଏପରିକି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ମଧ୍ୟ ମହଙ୍ଗା ମାଡ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ତେବେ ଏହି ଆର୍ଥିକ ସଙ୍କଟ ଦେଶର ରାଜନୀତିରେ ମଧ୍ୟ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ତେବେ ଏହି ସମୟରେ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଏକ ଆଶାର ଆଲୋକ ଦେଖାଇଛନ୍ତି ଦେଶର ନୂଆ ଅର୍ଥମନ୍ତ୍ରୀ । ଆର୍ଥିକ ସଙ୍କଟରୁ ବଞ୍ଚିବା ସହିତ ପରିସ୍ଥିତିରେ ସୁଧାର ଆଣିବା ପାଇଁ କେଉଁ ସବୁ ଜିନିଷ ଉପରେ ଗୁରୁତ୍ୱ ଦେବାକୁ ହେବ ସେ ସ୍ପଷ୍ଟ କରିଛନ୍ତି । ସୂଚନା ମୁତାବକ, ଇନ୍ଧନ ଏବଂ ଔଷଧ ସପ୍ଲାୟ କରିବା ପାଇଁ ଆସନ୍ତା ୬ ମାସରେ ପ୍ରାୟ ୩ ବିଲିୟନ ଡଲାରର ଆବଶ୍ୟକତା ରହିବ ବୋଲି କହିଛନ୍ତି ଶ୍ରୀଲଙ୍କାର ନୂଆ ଅର୍ଥମନ୍ତ୍ରୀ ଅଲି ସବ୍ରୀ । ଏହାଦ୍ୱାରା ଦେଶର ଆର୍ଥିକ ସଙ୍କଟକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ । ଗତ ସପ୍ତାହରେ ଅର୍ଥମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଲି ସବ୍ରୀ । ନିଜ ପ୍ରଥମ ଇଣ୍ଟରଭ୍ୟୁରେ ସବ୍ରୀ ୩ ବିଲିୟନ ଡଲାର ଫଣ୍ଡ ଏକତ୍ର କରିବା ନେଇ କହିଛନ୍ତି ଯେ, ଏହି କାମ ଖୁବ କଠିନ ହୋଇପାରେ ।

ଏହାସହିତ ସରକାରଙ୍କୁ ଇନ୍ଧନ, ଗ୍ୟାସ, ଔଷଧ ଏବଂ ବିଦ୍ୟୁତର ନର୍ମାଲ ସପ୍ଲାୟ ଆରମ୍ଭ କରିବାକୁ ପଡିବ । ଯାହାଦ୍ୱାରା ଲୋକମାନଙ୍କ ମନରେ ଥିବା କ୍ରୋଧକୁ ଶାନ୍ତ କରାଯାଇପାରିବ । ଅଧିକ ସମୟ ବିଜୁଳି କାଟ ସହ ଇନ୍ଧନ ଏବଂ ଔଷଧ ଇତ୍ୟାଦିର ସଙ୍କଟକୁ ନେଇ ଅନେକ ମାତ୍ରାରେ ଆକ୍ରୋଷ ଜାହିର କରୁଛନ୍ତି ଶ୍ରୀଲଙ୍କାର ୨.୨କୋଟି ଲୋକ ଜନସଂଖ୍ୟା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ଦେଶବାସୀ ।