fbpx

ଆଉ ମହଙ୍ଗା ହେବନି ଖାଇବା ତେଲ! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: ଦେଶରେ ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଇବା ତେଲ ଦର ଲଗାତାର ବଢ଼ିବାରେ ଲାଗିଛି । ସରକାର ଏହା ଉପରେ ରୋକ୍ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଅଶୋଧିତ ତୈଳର ଆମଦାନୀ ଉପରେ ସରକାର ଆଉ ଶୁଳ୍କ ହ୍ରାସ କରିପାରନ୍ତି ।

ତେବେ ଖାଇବା ତେଲର ବର୍ଦ୍ଧିତ ଦର ରୋଷେଇ ଘରର ସ୍ୱାଦକୁ ନଷ୍ଟ କରିଦେଇଛି । ଏବେ ସରକାର ଏହି ବର୍ଦ୍ଧିତ ଦରକୁ ନିୟନ୍ତ୍ରଣ କରିବାକୁ ନୂଆ ଯୋଜନା ତିଆରି କରୁଛନ୍ତି । ମନି କଣ୍ଟ୍ରୋଲରେ ପ୍ରକାଶିତ ଖବର ଅନୁସାରେ, ସରକାର ଆମଦାନୀ ଉପରେ ଅନ୍ୟ ଦୁଇଟି ସେସ୍ କାଟିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ବିଶେଷଜ୍ଞ କହିଛନ୍ତି । ଏହା ବ୍ୟତୀତ ସରକାର ବର୍ତ୍ତମାନ ଶୁଳ୍କ ହ୍ରାସକୁ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇପାରନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ ଅଶୋଧିତ ତୈଳ ଆମଦାନୀ ଉପରେ ୫.୫ ପ୍ରତିଶତ ଶୁଳ୍କ ରହିଛି, ଯାହା ପୂର୍ବରୁ ୮.୨୫ ପ୍ରତିଶତ ଥିଲା । ବର୍ତ୍ତମାନ ଖାଇବା ତେଲ ପାଇଁ ଟିକସ ବ୍ୟବସ୍ଥା ୨ ସେସ୍ ଉପରେ ଆଧାରିତ ହେଉଛି । ପ୍ରଥମ, କୃଷି ଭିତ୍ତିଭୂମି ବିକାଶ ସେସ୍ (ଏଆଇଡିସି) ଓ ଦ୍ୱିତୀୟ – ସୋସିଆଲ ୱେଲଫେୟାର ସେସ୍ । ଫେବୃଆରୀରେ ସରକାର ଏଆଇଡିସିକୁ ୭.୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିଛନ୍ତି । ଏହା ପରେ ଅଶୋଧିତ ତୈଳ ଆମଦାନୀ ଉପରେ ମୋଟ ଶୁଳ୍କ ୫.୫ ପ୍ରତିଶତକୁ ଖସି ଆସିଛି ।

Get real time updates directly on you device, subscribe now.