ମାଲକାନଗିରି, (ଭାସ୍କର ନ୍ୟୁଜ୍): ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟ ସେବା । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ‘୫-ଟି’ ସଚିବଙ୍କ ଫୋକସ୍ରେ ଏବେ ମାଲକାନଗିରି ଜିଲ୍ଲା । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ଲାଗି ଗରିବ ଲୋକଙ୍କୁ ଆଉ କାହା ପାଖରେ ଗୁହାରି କରିବାକୁ ପଡିବ ନାହିଁ । ଏହାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ପ୍ରଥମ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ମାଲକାନଗିରିରୁ ଶୁଭାରମ୍ଭ କରିବା ପରେ ଏବେ ବାୟୁ ସ୍ୱାସ୍ଥ୍ୟସେବା ପୁଣି ଆରମ୍ଭ କରିଛନ୍ତି । ଉପାନ୍ତ ଜିଲ୍ଲାର ମାନ୍ୟତା ପାଇଥିବା ମାଲକାନଗିରି ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ସେବା ସୁଧାରିବା ଲାଗି ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ଦିନିଆ ମାଲକାନଗିରିକୁ ଗସ୍ତ କରିଛନ୍ତି ଭୁବନେଶ୍ୱର ଓ କଟକ ମେଡିକାଲରେ କାର୍ଯ୍ୟରତ ସ୍ୱତନ୍ତ୍ର ଡାକ୍ତରି ଦଳ । ସୁ
ପର କାଡରିୟୋଲୋଜି, ଗେଷ୍ଟନଲୋଜି ଓ ୟୁରୋଲୋଜିଙ୍କ ସହ ଏସ୍ତେନସିଆ ଓ ହେପଟୋଲଜି ଭଳି ପ୍ରମୁଖ ବିଭାଗର ୪ ଜଣ ସ୍ପେଶାଲ ଡାକ୍ତରଙ୍କ ସହ ଆଠ ଜଣ ଜୁନିଅର ଡାକ୍ତରମାନେ ଆସି ଗୁରୁତର ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ୧୨ଟି ପ୍ରମୁଖ ଅପରେସନ ସମେତ ଇକୋ ଓ ନେପଲୋଜିରେ ୧୦୦ରୁ ଊଦ୍ଧ୍ୱର୍ ଗୁରୁତର ରୋଗୀଙ୍କ ଚିକିତ୍ସା ସହ ୧୫୦ରୁ ଊର୍ଦ୍ଧ୍ୱ ଅଲ୍ଟ୍ରା ସାଉଣ୍ଡ କରିବାକୁ ପ୍ରଶାସନ ସ୍ଥିର କରିଛି । ପୁର୍ବରୁ ଅତି ଗୁରୁତର ରୋଗୀଙ୍କୁ ବିଶାଖାପାଟଣା କିମ୍ବା କଟକ ସ୍ଥିତ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରିବା ଲାଗି ୧୦ରୁ ୧୫ ଘଣ୍ଟା ସମୟ ଲାଗୁଥିବା ବେଳେ ଏବେ ମାଲକାନଗିରି ଜିଲ୍ଲାରେ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଥିବାରୁ ମାଲକାନଗିରି ସମେତ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶର ଅନେକ ରୋଗୀଙ୍କ ସୁଅ ଛୁଟିଛି । ମାଗଣାରେ ଏହି ସୁବିଧା ମାଲକାନଗିରିରେ ଏବେ ମିଳୁଥିବା ଦେଖି ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ଖୁସି ଥିବା ଜଣାପଡିଛି । ଏହି ଶୁଭାରମ୍ଭ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦଙ୍କ ସମେତ ଚିକିତ୍ସାଳୟର ବହୁ ଡାକ୍ତର ତଥା ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।