fbpx

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଲେ ଗୀତାଞ୍ଜଳି ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାସ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୀତାଞ୍ଜଳୀଙ୍କୁ ଏହି ପଦରେ ନିଯୁକ୍ତ ଦେଇଛନ୍ତି । ରାଜ୍ୟପାଳ ତାଙ୍କୁ ୪ ବର୍ଷ ପାଇଁ କୁଳପତି ପଦରେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି । ଶ୍ରୀ ଦାସ ରାଜନୀତି ବିଜ୍ଞାନର ପ୍ରଫେସର ଭାବେ ଫକିର ମୋହନ ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ଶିକ୍ଷା କ୍ଷେତ୍ରରେ ତାଙ୍କର ୩୬ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି । ତାଙ୍କ ଅଧୀନରେ ୪ ଜଣ ପିଏଚଡି ଓ ୩୫ ଜଣ ଏମଫିଲ ସ୍କଲାର ଶିକ୍ଷା ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସରେ ବ୍ରହ୍ମପୁର ୟୁନିଭରସିଟିର ଭାଇସ-ଚାନସେଲର ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣୀ ନିଜ କାର୍ଯ୍ୟକାଳ ପୂର୍ବରୁ ଇସ୍ତଫା ଦେଇଥିଲେ । ଗତ ୨୦୧୯ ସେପ୍ଟେମ୍ବର ମାସରେ ଶ୍ରୀ ପାଣି ୩ ବର୍ଷ ପାଇଁ ଦାୟିତ୍ୱ ଗ୍ରହଣ କରିଥିଲେ । ଆସନ୍ତା ସେପ୍ଟେମ୍ବର ମାସ ୨୨ ତାରିଖରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବାର ଥିଲା । ଶ୍ରୀ ପାଣିଙ୍କ ଇସ୍ତଫା ପରେ କୁଳପତି ପଦବୀ ଖାଲି ରହିଥିଲା ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି କିଏ ହେବ ତାହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏହି ପଦବୀ ନିମନ୍ତେ ଆବେଦନ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମେ ମାସ ୧ ତାରିଖ ସୁଦ୍ଧା ୬୩ ବର୍ଷ ବୟସର ପ୍ରାର୍ଥୀମାନେ ଏହି ପଦବୀ ନିମନ୍ତେ ଆବେଦନ କରିପାରିବେ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.