fbpx

ଭାରତକୁ ଆସିବ କି କରୋନାର ଚତୁର୍ଥ ଲହର?: ଜାଣନ୍ତୁ ଉତ୍ତରରେ କ’ଣ କହିଲେ IIT କାନପୁରର ପ୍ରଫେସର

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ । ଗତ ୮ ଦିନରୁ ପ୍ରତିଦିନ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଥିପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବୈଠକ କରି କଟକଣା କଡାକଡି କରିବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏହାରି ମଧ୍ୟରେ ସମସ୍ତଙ୍କ ମନରେ ଗୋଟିଏ ବଡ ପ୍ରଶ୍ନ ଚତୁର୍ଥ ଲହର ଆସିବ କି ନାହିଁ? ତେବେ ଏହି ପ୍ରଶ୍ନକୁ ନେଇ ଏବେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି କାନପୁର IITର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ । ଭାରତକୁ କରୋନାର ଚତୁର୍ଥ ଲହର ନ ଆସିବାର ସମ୍ଭାବନା ଅଧିକ ରହିଛି ବୋଲି ସେ ମତ ଦେଇଛନ୍ତି ।

କରୋନା ସଂକ୍ରମଣ ଏବଂ ଏହାର ଭବିଷ୍ୟତ ଉପରେ ଅଧିକ ଜାଣିବା ପାଇଁ ସୂତ୍ର(SUTRA) ନାମକ ଏକ ଗାଣିତିକ ମେଡେଲ ତିଆରି କରାଯାଇଛି । ଏହା ସାହାଯ୍ୟରେ ଅନେକ ଥର ସଠିକ ଭବିଷ୍ୟବାଣୀ କରି ସାରିଛନ୍ତି ପ୍ରଫେସର ଅଗ୍ରୱାଲ । ଏବେ ସେ କରୋନାର ଚତୁର୍ତ ଲହରକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ତାଙ୍କ ଆକଳନ ଅନୁଯାୟୀ, ଦେଶର ୯୦ ପ୍ରତିଶତ ଲୋକଙ୍କ ମଧ୍ୟରେ ମହାମାରୀ ବିପକ୍ଷରେ ପ୍ରତିରୋଧକ କ୍ଷମତା ବିକଶିତ ହୋଇ ସାରିଛି । ଏହା ସହିତ ଦେଶରେ ଟୀକାକରଣ ମଧ୍ୟ ଜୋରଦାର ହେଉଛି । ଅଧିକାଂଶ ଲୋକଙ୍କୁ ମଧ୍ୟ କରୋନା ଟୀକା ପ୍ରଦାନ ହୋଇସାରିଛି । ତେଣୁ ଚତୁର୍ଥ ଲହର ଦେଶରେ କାୟା ବିସ୍ତାର କରିବା ସମ୍ଭାବନା କମ ବୋଳି ପ୍ରଫେସର ପ୍ରକାଶ କରିଛନ୍ତି ।

ଏହାବ୍ୟତୀତ ଏବେ ପର୍ଯ୍ୟନ୍ତ ଭାଇରସରେ କୌରସି ବଡ ପରିବର୍ତ୍ତନ ଦେଖାଯାଇନାହିଁ । ଅର୍ଥାତ ଦେଶର ୯୦ ପ୍ରତିଶତରୁ ଅଧିକ ଲୋକ ଓମିକ୍ରନରେ ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଛନ୍ତି ଏବଂ ସେମାନଙ୍କ ଶରୀରରେ ପ୍ରତିରୋଧକ ଶକ୍ତି ମହଜୁଦ ରହିଛି । ତେବେ ଦେଶରେ କଟକଣାରେ କୋହଳ ହେବାରୁ ସଂକ୍ରମଣ ବଢୁଥିବା ସେ କହିଛନ୍ତି । କିନ୍ତୁ ଏହା ଚତୁର୍ଥ ଲହରର ପ୍ରଭାବ ନୁହେଁ ବୋଲି ପ୍ରକାଶ କରିଛନ୍ତି ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ।

Get real time updates directly on you device, subscribe now.