fbpx

ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡ: ବିଲଡିଂ ମାଲିକ ଗିରଫ, ଜାଣନ୍ତୁ ନିଆଁ ଲାଗିବା ଓ ଲିଭିବା ପଛର ୮ ଘଣ୍ଟାର ଲମ୍ବା କାହାଣୀ

ନୂଆଦିଲ୍ଲୀ: ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡ ଘଟଣାରେ ବିଲଡିଂ ମାଲିକ ମନିଷଙ୍କୁ ଗିରଫ କରାଯାଇଛି । ନିଆଁ ଲାଗିବା ପରେ ମାଲିକ କୋଠା ଉପରେ ରହିଥିଲେ ମଧ୍ୟ କ୍ରେନ ସହାୟତାରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ୨୭ ଜଣଙ୍କର ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିବା କୁହାଯାଉଛି । ମନୀଷଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍ ଲଗାତର ପ୍ରୟାସ କରିଆସୁଥିବା ବେଳେ ଆଜି ସକାଳୁ ତାଙ୍କୁ ଗିରଫ କରାଯାଇଛି ।

ଘଟଣା ଦିନ ଦ୍ୱିପ୍ରହର ୧ଟା ସମୟରେ ବିଲଡିଂରେ ପୂର୍ବ ପରି କାର୍ଯ୍ୟ ଜାରି ରହିଥିଲା । ପ୍ରଥମ ମହଲାରେ କମ୍ପାନୀର ଏକ ସ୍ୱତନ୍ତ୍ର ମିଟିଂ ଥିଲା । ଅପରାହ୍ଣ ୪.୩୦ ସମୟରେ କୋଠାର ପ୍ରଥମ ମହଲାରୁ ଧୂଆଁ ବାହାରିବା ଦେଖାଯାଇଥିଲା । ପରେ ଧୂଆଁ ଚାରିଆଡ଼କୁ ବ୍ୟାପିବାରେ ଲାଗିଥିଲା । ଏହାପରେ ଲୋକମାନେ ନିଜ ନିଜ ଜୀବନ ବଞ୍ଚାଇବାକୁ ଯିଏ ଯୁଆଡ଼େ ପାଇଲେ ଦୌଡ଼ିଥିଲେ । ୪.୪୫ରେ ପୋଲିସ ଓ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଖବର ମିଳିବାର ୫-୧୦ ମିନିଟ୍ ମଧ୍ୟରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା ।

ଏହାପରେ ୪.୫୦ରେ ଲୋକମାନେ ଏହି ଘଟଣାରୁ ବର୍ତ୍ତିବା ପାଇଁ ଦଉଡ଼ି ସାହାଯ୍ୟରେ ଦ୍ୱିତୀୟ ମହଲାରୁ ଡେଇଁବାରେ ଲାଗିଥିଲେ । ପୋଲିସ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ କିଛି ଲୋକଙ୍କୁ ଉଦ୍ଧାର କରିଥିଲା । ୫ଟାରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲା । ୬.୨୦ରେ ଜଣେ ୪୫ ବର୍ଷୀୟା ମହିଳାଙ୍କ ଶବ ମିଳିଥିଲା । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ରାତି ୧୦.୫୦ ସୁଦ୍ଧା କୁଲିଂ ଅପରେସନ ଦ୍ୱାରା ୧୬ଟି ଶବ ଜବତ ହୋଇଥିଲା । ପରେ ଏହି ସଂଖ୍ୟା ୨୭କୁ ବୃଦ୍ଧି ପାଇଥିଲା । ରାତି ୧୧.୪୦ରେ ପୁନର୍ବାର ପ୍ରଥମ ମହଲାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ରାତି ୧୨ଟାରେ ନିଆଁ ସମ୍ପୂର୍ଣ୍ଣ ଆୟତକୁ ଆସିଯାଇଥିଲା ।

Get real time updates directly on you device, subscribe now.