ନୂଆଦିଲ୍ଲୀ: ଗ୍ରାହକଙ୍କୁ ପୁଣି ଥରେ ଝଟକା ଦେଇଛି ଏସବିଆଇ । ଚଳିତ ମାସରେ ଲଗାତାର ଦ୍ୱିତୀୟ ଥର ପାଇଁ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏମସିଏଲଆର ବୃଦ୍ଧି କରିଛି । ବ୍ୟାଙ୍କ ଏମସିଏଲଆରରେ ୧୦ ବେସିସ ପଏଣ୍ଟ ଅର୍ଥାତ୍ ୦.୧୦ % ବୃଦ୍ଧି କରିଛି ।
ଫଳରେ ଏମସିଏଲଆରରେ ବୃଦ୍ଧି ଦ୍ୱାରା ଗ୍ରାହକଙ୍କ ଦ୍ୱାରା ନିଆଯାଇଥିବା ଲୋନର ମାସିକ ଇଏମଆଇରେ ବୃଦ୍ଧି ହେବ । ଏହା ସହ ନୂଆ ଗ୍ରାହକଙ୍କ ପାଇଁ ଲୋନ ମହଙ୍ଗା ହେବ । ଏହି ନିଷ୍ପତ୍ତି ଆରବିଆଇ ଦ୍ୱାରା ରେପୋ ରେଟ୍ ବଢ଼ାଇବା ପରେ ନିଆଯାଇଛି । ନିକଟରେ ଆରବିଆଇ ରେପୋ ରେଟ୍ ୪୦ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା ।
ତେବେ ଏମସିଏଲଆର ପଏଣ୍ଟ ବୃଦ୍ଧି ପରେ ଏବେ ଏସବିଆଇର ଓଭରନାଇଟ ଏକ ମାସ ଏବଂ ତିନି ମାସର ଏମସିଏଲଆର ୬.୭୫ ପ୍ରତିଶତରୁ ବଢ଼ି ୬.୮୫ % ହୋଇଛି । ସେହିଭଳି ୬ ମାସର ଏମସିଏଲଆର ୭.୧୫ ପ୍ରତିଶତ, ୧ ବର୍ଷର ଏମସିଏଲଆର ୭.୨୦ ପ୍ରତିଶତ, ୨ ବର୍ଷ ପାଇଁ ୭.୪୦ ପ୍ରତିଶତ ଏବଂ ତିନି ବର୍ଷ ପାଇଁ ଏମସିଏଲଆର ୭.୫୦ ପ୍ରତିଶତ ହୋଇଛି ।
ମାର୍ଜିନାଲ କସ୍ଟ ଅଫ ଫଣ୍ଡ ବେସ୍ଡ ଲେଣ୍ଡିଂ ରେଟ ହେଉଛି ଯେକୌଣସି ଆର୍ଥିକ ପ୍ରତିଷ୍ଠାନର ଆଭ୍ୟନ୍ତରୀଣ ମାନଦଣ୍ଡ । ଏହା ଯେକୌଣସି ଲୋନର ସର୍ବନିମ୍ନ ସୁଧ ହାର ବ୍ୟାଖ୍ୟା କରେ । ୨୦୧୬ରେ ଆରବିଆଇ ଦ୍ୱାରା ଭାରତୀୟ ଆର୍ଥିକ ପ୍ରଣାଳୀରେ ଏହା ଅନ୍ତର୍ଭୁକ୍ତ ହୋଇଥିଲା । ଏହା ପୂର୍ବରୁ ୨୦୧୦ ରେ ଲାଗୁ ହୋଇଥିବା ବେସ୍ ରେଟ୍ ସିଷ୍ଟମ ଅନୂଯାୟୀ ସୁଧ ହାର ସ୍ଥିର କରାଯାଉଥିଲା କିନ୍ତୁ ଏମସିଏଲଆର ଲାଗୁ ହେବା ପରେ ତାହା ବନ୍ଦ ହୋଇଯାଇଥିଲା ।