ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ ସର୍ଭେ ବନ୍ଦ କରିବା ଦାବିରେ ଦାଖଲ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଗତ ସପ୍ତାହରେ ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟି ପକ୍ଷରୁ ସର୍ଭେ ଉପରେ ରୋକ୍ ଲଗାଇବାକୁ ଆଦେଶ ଦେବା ପାଇଁ ଯାଚିକା ଦାଖଲ କରିଥିଲେ। ଅଦାଲତ କହିଥିଲେ ଯେ, ଆମେ ଏହି ମାମଲା ବିଷୟରେ ବିଶେଷ କିଛି ଜାଣିନୁ, ବିନା କିଛି ଅଧ୍ୟୟନରେ ଆଦେଶ ପାରିତ କରି ପାରିବୁ ନାହିଁ। ପ୍ରଧାନ ବିଚାରପତି ଏନଭି ରମନା କହିଥିଲେ, ଆମେ ମାମଲାକୁ ତାଲିକାଭୁକ୍ତ କରୁଛୁ ଏବଂ ଆଗାମୀ ସପ୍ତାହରେ ଏହାର ଶୁଣାଣି କରିବୁ।
ଏହା ମଧ୍ୟରେ ସୋମବାର କ୍ରମାଗତ ତୃତୀୟ ଦିନ ଜ୍ଞାନବ୍ୟାପୀ ମସଜିଦର ସର୍ଭେ ହୋଇଛି ଏବଂ ଏହାର ପ୍ରକ୍ରିୟା ପୂରା ହୋଇଛି। ମଙ୍ଗଳବାର ବାରାଣସୀ କୋର୍ଟରେ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ସର୍ଭେ ପରେ ହିନ୍ଦୁ ପକ୍ଷଙ୍କ ଓକିଲ ସୋହନଲାଲ କହିଛନ୍ତି ଯେ, ଆମ ସପକ୍ଷରେ ପର୍ୟ୍ୟାପ୍ତ ତଥ୍ୟ ପ୍ରମାଣ ରହିଛି। ମସଜିଦରୁ ବାବା ବିଦ୍ୟମାନ ଅଛନ୍ତି। ଏହାର ଅର୍ଥ ଶିବ ଲିଙ୍ଗ ମିଳିଛି। ମସଜିଦ ପରିସରରେ ସର୍ଭେ ସମୟରେ ସୋହନଲାଲ ମଧ୍ୟ କୋର୍ଟ କମିଶନରଙ୍କ ସହିତ ଉପସ୍ଥିତ ଥିଲେ।
ସେ କହିଛନ୍ତି, ଆଜିର ଦିନଟି ଆମ ବହୁତ ବଡ ଦିନ। ଶିବ ଲିଙ୍ଗ ବାହାରିବା ପରେ ହର ହର ମହାଦେବ ନାରାରେ ମସଜିଦ ପରିସର ଗୁଞ୍ଜି ଉଠିଛି। ସୂଚନାଯୋଗ୍ୟ, ବାରାଣସୀ କୋର୍ଟ ମେ ୧୭ରେ ସର୍ଭେ ରିପୋର୍ଟ ଦେବାକୁ ଆଦେଶ ଦେଇଥିଲେ। ଏହା ବ୍ୟତୀତ କୋର୍ଟ କମିଶରନର ଅଜୟ ମିଶ୍ରାଙ୍କୁ ବଦଳାଇବା ଯାଚିକା ଅଗ୍ରାହ୍ୟ କରିଥିଲେ। ଏବେ ସଭିଙ୍କ ନଜର ବାରାଣସୀ କୋର୍ଟ ଏବଂ ସୁପ୍ରିମକୋର୍ଟ ଉପରେ ରହିଛି।