ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକ ଶନିବାର ଶେଷ ହୋଇଛି । ପୁରୀ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ବୈଠକରେ ଗୁରୁକୁଳ ସୋସାଇଟି ଗଠନକୁ ମଧ୍ୟ ଅନୁମୋଦନ ମିଳିଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଛି ।
ସେହିପରି ଗରିବ ସେବାୟତଙ୍କ ପାଇଁ ମାଟି ମଣ୍ଡପ ସାହିରେ ୨.୮୧ ଓ ହରଚଣ୍ଡୀ ସାହି ମୈଜାରେ ୩.୧୮ ଜମି ଚିହ୍ନଟ ହୋଇଛି । ଏହି ଜମି ଶ୍ରୀମନ୍ଦିର ପ୍ରଶାସନ ଅଧିନକୁ ଆସିବା ପରେ ଓବିସିସିକୁ ଡିଜାଇନ୍ ପ୍ରସ୍ତୁତ ପାଇଁ କୁହାଯିବ । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅନ୍ତର୍ଗତ ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟ ପୂର୍ବପରି ଚାଲୁ ରହିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସଆଇ ସହ ମିଶି କାର୍ଯ୍ୟ ଜାରି ରହିବ।
ପୂର୍ବରୁ ଗଜପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସାଂସ୍କୃତିକ ଉପଦେଷ୍ଟା କମିଟିର ନିଷ୍ପତ୍ତିକୁ ମଧ୍ୟ ଅନୁମୋଦନ କରାଯାଇଛି । ଏଏସଆଇ ଡ଼ିଜିଙ୍କ ନିର୍ଦ୍ଦେଶ କ୍ରମେ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ୧୦୦ ମିଟର ପରଧି ବାହାରେ କରିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଏହା କେଉଁ ସ୍ଥାନରେ କରାଯିବ ତାହା ସ୍ପଷ୍ଟ ହୋଇନାହିଁ ।
ସେହିପରି ଆଉଟଡୋର ଆସେସମେଣ୍ଟ ରୋଡ ପାଇଁ ଆବଶ୍ୟକ ହେଲେ ଅଧିକ ଜମି ଅଧିଗ୍ରହଣ ଓ ଯାତ୍ରୀ ପରିକ୍ରମା ମାର୍ଗ ମଧ୍ୟରେ ହୋଇଥିବା ସମସ୍ତ କାର୍ଯ୍ୟ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ କରାଯିବା ସହ ଏହା ମେଘନାଦ ପାଚେରୀ ଠାରୁ ଅଧିକ ଉଚ୍ଚ ହେବ ନାହିଁ ବୋଲି ପୂର୍ବରୁ ସାଂସ୍କୃତିକ ଉପଦେଷ୍ଟା କମିଟିରେ ନିଷ୍ପତ୍ତି ନିଆଯାଇଥିଲା ।
ଏହି ପ୍ରକଳ୍ପ କାର୍ଯ୍ୟ ଦ୍ବାରା ଶ୍ରୀମନ୍ଦିର ଦୃଶ୍ୟମାନ ହେବାରେ ଯେଭଳି କୌଣସି ପ୍ରତିବନ୍ଧକ ନଉପୁଜିବ ତାହା ଉପରେ ମଧ୍ୟ ସାଂସ୍କୃତିକ ଉପଦେଷ୍ଟା କମିଟି ନେଇଥିବା ନିଷ୍ପତ୍ତିକୁ ମଧ୍ୟ ପରିଚାଳନା କମିଟି ମୋହର ମାରିଛି । ଅପରାହ୍ନରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ।