fbpx

ରାଷ୍ଟ୍ରପତି ନିର୍ବାଚନରେ କିଏ ଜିତିବ: NDAର ଭୋଟ ୪୮.୯ ପ୍ରତିଶତ, ବିରୋଧୀଙ୍କ ଭୋଟ ୫୧.୧ ପ୍ରତିଶତ, ଆଞ୍ଚଳିକ ଦଳ ହିଁ BJPର ଏକମାତ୍ର ଭରସା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଥିବା ବେଳେ ଏନେଇ ଦିଲ୍ଲୀ ଦରବାରରେ ଆରମ୍ଭ ହୋଇଯାଇଛି ଅଙ୍କକଷା । ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଯେନତେନ ପ୍ରକାରେଣ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପ୍ରୟାସରେ ରହିଛି କ୍ଷମତାସୀନ ବିଜେପି । ରାଜନୀତିକ ଗଣିତ ମୁତାବକ, ରାଷ୍ଟ୍ରପତି ନିର୍ବାଚନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପାଖରେ ଏବେ ୪୮.୯ ପ୍ରତିଶତ ଭୋଟ ରହିଥିବା ବେଳେ ବିରୋଧୀ ପାଖରେ ରହିଛି ୫୧.୧ ପ୍ରତିଶତ ଭୋଟ । ଅର୍ଥାତ ଯଦି ଆଞ୍ଚଳିକ ଦଳମାନେ ଏକଜୁଟ୍ ହୋଇଯିବେ ତେବେ ବିଜେପି ରାଷ୍ଟ୍ରପତି ନିର୍ବାଚନରେ ହାରିବା ଥୟ ।

ଏଭଳି ସ୍ଥିତିରେ ବିଜେପିର ମୁଖ୍ୟ ଭରସା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ତେବେ ଠିକଣା ସମୟରେ ଠିକ୍ ଦଳକୁ ବିଜେଡି ସମର୍ଥନ କରିବ ବୋଲି ନବୀନ ପୂର୍ବରୁ କହି ସାରିଛନ୍ତି । ତେବେ ନବୀନଙ୍କୁ ମନାଇବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଦାୟିତ୍ୱ ଦେଇଥିବା କୁହାଯାଉଛି । ୨୦୧୨ରେ ଏନଡିଏରେ ସାମିଲ ଥିବାବେଳେ ନୀତିଶ ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିବା ବେଳେ ୨୦୧୭ରେ ଏନଡିଏ ପ୍ରାର୍ଥୀ କୋବିନ୍ଦକୁ ସମର୍ଥନ କରିଥିଲେ । ପୁଣି ଗତ କିଛିଦିନ ହେଲା ନୀତିଶ ଜାତି ଜନଗଣନାକୁ ନେଇ ବିଜେପି ଠାରୁ ଦୂରେଇ ରହୁଛନ୍ତି । ଏପରିକି ନୀତିଶ ଏନଡିଏ ଛାଡ଼ି ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ସହିତ ମେଣ୍ଟ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାରେ ଲାଗିଛନ୍ତି । ସେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ, ଏନସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଶିବ ସେନା ମୁଖ୍ୟ ରାଜ୍ ଠାକରେଙ୍କ ସହ ଆଲୋଚନା କରି ସାରିଛନ୍ତି । ଏପରିକି ଆଗକୁ ସେ ବିଜେପିର କଟ୍ଟର ବିରୋଧୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି । ଆନ୍ଧ୍ର ସିଏମ ଜଗନଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ବିଜେପି ଜେଭିଏଲ ନରସିଂହା ରାଓଙ୍କୁ ଦାୟିତ୍ୱ ଦେଇଥିବା କୁହାଯାଉଛି ।

ତେବେ ଯଦି ଓଡ଼ିଶା କଥା ବିଚାର କରିବା ତେବେ ନବୀନଙ୍କ ଉପରେ ବିଜେପିର ବହୁତ ଭରସା ରହିଥିବା ମନେହୁଏ । କାରଣ ରାଜ୍ୟ ବିଜେପି ନେତାମାନେ ବିଜେପିକୁ ବିରୋଧ କରୁଥିବା ବେଳେ ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ପ୍ରସଙ୍ଗର ଓଡ଼ିଶା ସରକାରଙ୍କୁ ପ୍ରଶଂସା କରୁଛନ୍ତି । ତେବେ କୌଣସି ପରିସ୍ଥିତିରେ ବିଜେପି ବିଜେଡିର ହାତ ଛାଡ଼ିବାକୁ ଚାହୁଁ ନଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏଭଳି ସ୍ଥିତିରେ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ନେଇ ବିଜେପିର ହୃଦ୍ ସ୍ପନ୍ଦନ ବଢ଼ିଯାଇଛି । ଏଥର ରାଷ୍ଟ୍ରପତି ନିର୍ବାଚନରେ ନବୀନ ଯେ କିଙ୍ଗମେକର ସାଜିବେ ଏଥିରେ ଦ୍ୱିମତ ନାହିଁ ।

Get real time updates directly on you device, subscribe now.