ପେଟ୍ରୋଲ-ଡିଜେଲ ଦାମକୁ ନେଇ ଚିନ୍ତାରେ ତୈଳ କମ୍ପାନୀ: କଲେ ଏମିତି ଦାବି

ନୂଆଦିଲ୍ଲୀ: ତୈଳଦର ବୃଦ୍ଧି ପରେ ମଧ୍ୟ ଇନ୍ଧନର ମୂଲ୍ୟ ସ୍ତିର ରହିବା ଏବେ ପେଟ୍ରୋଲିୟମ କମ୍ପାନୀଗୁଡିକ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହା ଫଳରେ ଏମାନେ କ୍ଷତି ହେଉଥିବା ନେଇ ଦାବି ମଧ୍ୟ କରିବା ଆରମ୍ଭ କଲେଣି । ପେଟ୍ରୋଲ ଲିଟର ପ୍ରତି ୧୭.୧ ଏବଂ ଡିଜେଲ ୨୦.୪ଟଙ୍କାରେ କ୍ଷତି ପହଞ୍ଚିଛି ବୋଲି ସେମାନେ ଦାବି କରିଛନ୍ତି ।

ଖୁଚୁରା ଇନ୍ଧନ ବିକ୍ରି କରୁଥିବା କମ୍ପାନୀଗୁଡିକ ସରକାରଙ୍କୁ ଏହାର ଦାବି ଜଣାଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ । ତେବେ କମ୍ପାନୀଗୁଡିକ କେଉଁ ପ୍ରକାର ଦାବି କରୁଛନ୍ତି, ସେ ଏ ସମ୍ପର୍କରେ କିଛି ସଠିକ ତଥ୍ୟ ଦେଇ ନାହାନ୍ତି । ତେବେ ଦର ନିରୂପଣ କରିବା ଉପରେ କମ୍ପାନୀଗୁଡିକୁ ନିଷ୍ପତ୍ତି ନେବାକୁ ପଡିବ । ଏ ସମ୍ପର୍କରେ ଅଦିକ କିଛି କହିବା ପାଇଁ ମନା କରି ଦେଇଛନ୍ତି ମନ୍ତ୍ରୀ ହରଦୀପ ପୁରୀ ।

ଘରୋଇ ପେଟ୍ରୋଲ ପମ୍ପରେ ଇନ୍ଧନ ପ୍ରତି ବ୍ୟାରେଲ ଅଶୋଧିତ ତୈଳ ୮୫ ଡଲାରରେ ବିକ୍ରି କରାଯାଉଛି । ସେପଟେ ବ୍ରେଣ୍ଟ କ୍ରୁଡ ବର୍ତ୍ତମାନ ବ୍ୟାରେଲ ପ୍ରତି ୧୧୩ ଡଲାର ରହିଛି । ତେଣୁ କ୍ଷତି ସହୁଛନ୍ତି ତୈଳ କମ୍ପାନୀ । କମ୍ପାନୀଗୁଡିକୁ ଜୁନ ୨ ତାରିଖ ଅନୁସାରେ, ପେଟ୍ରୋଲ ଲିଟର ପିଛା ୧୭.୧ ଏବଂ ଡିଜେଲ ଲିଟର ପିଛା ୨୦.୪ଟଙ୍କା ଲେଖାଏଁ କ୍ଷତି ସହିବାକୁ ପଡୁଛି ।