ଧାନର MSP ୧୦୦ ଟଙ୍କା ବୃଦ୍ଧି ଯଥେଷ୍ଟ ନୁହେଁ, ଅସନ୍ତୋଷ ବ୍ୟକ୍ତ କଲା ବିଜେଡି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗତକାଲି କେନ୍ଦ୍ର ସରକାର ୨୦୨୨-୨୩ ଫସଲ ପାଇଁ ୧୭ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(MSP) ବୃଦ୍ଧି କରିଥିଲେ। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କଂଗ୍ରେସ ଏବଂ ବିଜେଡି ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଧାନର MSP ୧୦୦ ଟଙ୍କା ବୃଦ୍ଧି ଦ୍ୱାରା ଓଡ଼ିଶା ଚାଷୀଙ୍କର କିଛି ଲାଭ ହେବା ନହିଁ ବୋଲି ବିଜେଡି କହିଥିଲା ବେଳେ ଏହା ସମୁଦ୍ରକୁ ଶଙ୍ଖେ ବୋଲି କଂଗ୍ରେସ କହିଛି ।

ଆଜି ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରି MSP ବୃଦ୍ଧି ଉପରେ ପ୍ରଶ୍ନ କରିଛି ବିଜେଡି। ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନି କରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଧାନର ସର୍ବନିମ୍ନ ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି। ଯାହା ସ୍ୱାଗତ ଯୋଗ୍ୟ, କିନ୍ତୁ ଏହା ଦ୍ୱାରା ଓଡ଼ିଶା ଚାଷୀଙ୍କର କିଛି ଲାଭ ହେବ ନାହିଁ। ରାଜ୍ୟରେ ଚାଷୀଙ୍କର ଉତ୍ପାଦନ ମୂଲ୍ୟ ୨୩୪୪ ଥିବା ବେଳେ MSP ୨୦୪୦ ଟଙ୍କା ରହିଛି, ଯାହା ଫଳରେ ଓଡ଼ିଶା ଚାଷିଙ୍କର ୩୦୪ ଟଙ୍କା କ୍ଷତି ହେଉଥିବା ସସ୍ମିତ ପାତ୍ର କାହିଛନ୍ତି ।

ଏହାବାଦ୍ କେନ୍ଦ୍ର ସରକାର ରାଜ୍ୟରୁ ବଳକା ଉସୁନା ଚାଉଳ ଉଠାଉ ନଥିବା ଅଭିଯୋଗକୁ ସେ ପୁଣି ଦୋହରାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ବଳକା ଉସୁନା ଚାଉଳକୁ ଫୁଡ୍ କର୍ପୋରେସନ ମାଧ୍ୟମରେ ଉତ୍ତୋଳନ କରିବାକୁ ମନା କରିଥିବା ସେ କହିଥିଲେ। ଏହା ଦ୍ୱାରା ଓଡ଼ିଶାର ଚାଷୀଙ୍କ ଲାଗି ଏକ ବିଶେଷ ସମସ୍ୟା ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଏହା ସହିତ କେନ୍ଦ୍ର ସରକାର ରାଜ୍ୟକୁ ଏହାର ବଳକା ସବସିଡ୍ ମଧ୍ୟ ପ୍ରଦାନ କରି ନାହାନ୍ତି ବୋଲି ସେ କହିଛନ୍ତି। ପ୍ରାୟ ୧୦ ହଜାର ୩ଶହ ୩୪ କୋଟି ଟଙ୍କାର ବକେୟା ରହିଛି ଯାହାକୁ କେନ୍ଦ୍ର ସରକାର ଦେଇ ନାହାନ୍ତି।