ରାହୁଲକୁ ମୃତ୍ୟୁମୁଖରୁ ଫେରାଇ ଆଣିଲେ ମହାପ୍ରଭୁ ଜଗନ୍ନାଥ: ପୁରୀରେ ହଜିଥିଲା ୧୦ ବର୍ଷର ବାଳକ, ଏବେ ପାଇଲା ପୁନର୍ଜନ୍ମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୧୦୫ ଘଣ୍ଟାର ସଂଘର୍ଷ, କୋଟି କୋଟି ଜନତାଙ୍କ ଆକୁଳ ନିବେଦନ ବ୍ୟର୍ଥ ଯାଇନାହିଁ । ଶେଷରେ ସମସ୍ତ ଆଶଙ୍କା ଉପରେ ବିଜୟ ଲାଭ କରି ଧରାପୃଷ୍ଠରେ ନୂଆ କରି ଜନ୍ମଲାଭ କଲା ୧୦ ବର୍ଷର ବାଳକ ରାହୁଲ । ଗତ ୪ ଦିନ ଧରି କୋଟି କୋଟି ଜନତାଙ୍କଠୁ ଆରମ୍ଭ କରି ସମସ୍ତ ସୋସିଆଲ ମିଡ଼ିଆରେ ଗୁଞ୍ଜରିତ ହେଉଥିଲା କେବଳ ଗୋଟିଏ ନାମ ରାହୁଲ । ଗତକାଲି ରାତି ପାଖାପାଖି ୧୨ଟା ସମୟରେ ରାହୁଲ ୮୦ ଫୁଟର ବୋରୱେଲରୁ ଉଦ୍ଧାର ହୋଇଥିବା ବେଳେ ବର୍ତ୍ତମାନ ତାକୁ ଏବେ ବିଳାସପୁରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ତେବେ ରାହୁଲ ଉଦ୍ଧାର ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଓଡ଼ିଶାକୁ ନେଇ ସମସ୍ତ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ରାହୁଲ ଉଦ୍ଧାର ହେବା ପରେ ଛତିଶଗଡ଼ର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା ‘ଜୟ ଓଡ଼ିଶା…ଜୟ ଜଗନ୍ନାଥ’ ବୋଲି ଉଚ୍ଚାରଣ କରିବା କୋଟି କୋଟି ଜନତାଙ୍କୁ ହତବାକ୍ କରିଦେଇଥିଲା । ତେବେ ସେ ଯାହା ବି ହେଉ, ରାହୁଲକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୀର୍ଘ ୪ ଦିନ ଧରି ଜଗି ରହିଥିଲେ । ବୋରୱେଲ ଭିତରେ ଭୟଙ୍କର ସାପ, ବେଙ୍ଗ ଆଦି ଜନ୍ତୁ ରହିଥିଲେ ହେଁ କେହି ତା’ର କିଛି କରିପାରିନଥିଲେ । ଏହା କ’ଣ ଚକାଆଖିର କରୁଣା ନୁହେଁ କି?

ଚକାଡୋଳା ବୋଧେ ଜଗାକୁ ଦିନ ରାତି ଗୋଟିଏ ଚାହାଁଣୀରେ ଚାହିଁ ରହିଥିଲା । ନହେଲେ ଗୋଟିଏ ୧୦ ବର୍ଷର କଅଁଳ ଛୁଆଟା ନ ଖାଇ ନ ପିଇ ପାତାଳ ଭିତରେ କେମିତି ରହି ପାରିଥାନ୍ତା । ସତରେ ଜିଲ୍ଲାପାଳଙ୍କ ତୁଣ୍ଡରେ ଜଗାର ଧ୍ୱନି ସତେ ଯେମିତି ଆଜି ଓଡ଼ିଶାବାସୀଙ୍କୁ ଗର୍ବିତ କରିଦେଇଛି । ଗୋଟିଏ ଶିଶୁର ଜୀବନ ବଞ୍ଚାଇ ଜଗା ଆଜି ସମସ୍ତଙ୍କୁ ଋଣୀ କରିଦେଇଛି । ଅତୀତରେ ଦିନେ ରାହୁଲ ପୁରୀରେ ହଜିଯାଇଥିଲା, ଆଜି ସେ ପୁଣି ନୂଆ ଜୀବନ ପାଇଛି ବୋଲି ରାହୁଲର ମାଆ କୋହଭରା କଣ୍ଠରେ କହିଛନ୍ତି । କାଳିଆର ଏଇ ଲୀଳାଖେଳା ବିଷୟରେ ଶୁଣିଲା ବେଳକୁ ନିଜର ଜୀବନ କୃତାର୍ଥ ହେଲା ପରି ମନେହେଉଛି ।