ଗୌହାଟୀ, ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଆସାମରେ ବନ୍ୟା ସ୍ଥିତି ଭୟଙ୍କର ରୂପ ଧାରଣ କରିଛି । ଆସାମର ୨୮ଟି ଜିଲ୍ଳାର ୧୯ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୫୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ରିଲିଫ୍ କ୍ୟାମ୍ପରେ ରଖାଯାଇଛି । ଜଳବନ୍ଦୀ ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି ।
ସେହିଭଳି ଆସାମର ହୋଜାଇରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଏକ ଉଦ୍ଧାରକାରୀ ଦଳ ୨୧ ଜଣଙ୍କୁ ଏକ ଡଙ୍ଗାରେ ନେଇ ଆସୁଥିବାବେଳେ ଏହା ଅଧାବାଟରେ ଓଲଟି ପଡ଼ିବାରୁ ୩ ଜଣ ଛୋଟପିଲା ନିଖୋଜ ହୋଇଛନ୍ତି । ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ସହିତ ଆଲୋଚନା କରିବା ସହିତ ସବୁ ପ୍ରକାରର ସହଯୋଗ କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ଲୋକ ଫସି ରହିଛନ୍ତି । ଫଳରେ କେନ୍ଦ୍ର ସରକାର ଗୌହାଟୀ ଓ ସିଲଚର ମଧ୍ୟରେ ସ୍ୱତନ୍ତ୍ର ବିମାନ ଚଳାଚଳ ଆରମ୍ଭ କରିଛନ୍ତି ।
ଅନ୍ୟପକ୍ଷରେ ମେଘାଳୟ ମଧ୍ୟ ବନ୍ୟା ଯୋଗୁଁ ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇଛନ୍ତି । ସେହିପରି ତ୍ରିପୁରାର ଅଗରତାଲାରେ ଲଗାଣ ବର୍ଷା ଲାଗି ରହିଛି । ମେଘାଳୟରେ ବର୍ଷା ଓ ବନ୍ୟା ଫଳରେ ୧୯ ଜଣଙ୍କ ଜୀବନ ଯାଇଛି । ତ୍ରିୁରାରେ ୬ ଘଣ୍ଟା ମଧ୍ୟରେ ୧୪୫ ମିଲିମିଟର ବର୍ଷାରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ପ୍ରଭାବିତ ହୋଇଛି । ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ଼ ସାଙ୍ଗମା ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ପାଇଁ ୫୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି