fbpx

ସରକାର ୟୁନିଟ୍ ପିଛା ୧୨ ଟଙ୍କା ରୁ ୧୬ ଟଙ୍କାରେ କିଣି, ୩.୧୨ଟଙ୍କାରେ ଯୋଗାଇ ଦେଇଛନ୍ତି-ଶକ୍ତିମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖରାଦିନ ସମୟରେ ଘନ ଘନ ପାୱାର କଟ୍ ନେଇ ଗୃହରେ ଉତ୍ତର ରଖିଛନ୍ତି ସରକାର। ଓଡ଼ିଶାର ବିଦ୍ୟୁତ ଚାହିଦା ଏପରିକି ସର୍ବାଧିକ ଆବଶ୍ୟକ ସମୟରେ ଯାହା ଅଛି, ତାହାକୁ ଭରଣା କରିବା ପାଇଁ କୌଣସି ସମସ୍ୟା ନାହିଁ। କିଛି ବର୍ଷ ତଳେ ଓଡ଼ିଶା ଏକ ବିଦ୍ୟୁତ ଅଭାବୀ ରାଜ୍ୟ ଥିଲା। ବର୍ତ୍ତମାନ ଆମେ ବିଦ୍ୟୁତ ବଳକା ରାଜ୍ୟ ହୋଇ ପାରିଛୁ । କିନ୍ତୁ ସାମୟିକ ଭାବରେ କିଛିଟା ସମସ୍ୟା ଦେଖା ଦେଇଥାଏ, ଯେପରିକି କମ୍ ବର୍ଷା ହେଲେ ହାଇଡ୍ରୋ ଜେନେରେସନ କମି ଯାଇଥିଲେ କିମ୍ବା ଥର୍ମାଲ ପାୱାର ପ୍ଲାଣ୍ଟରେ କୋଇଲା ଅଭାବ ପାଇଁ ସାମୟିକ ସମସ୍ୟା ଦେଖାଦେଇଥିଲା।

୫୦ ଦିନରୁ ଅଧିକ ଦିନ ଥର୍ମାଲ ପାୱାର ପ୍ଲାଣ୍ଟରେ ସମସ୍ୟା ଦେଖାଦେଇଥିଲା। ସେଥିପାଇଁ ଆମକୁ ଦିନକୁ ପ୍ରାୟ ୪୦୦ ରୁ ୪୪୦ ମେଗାୱାଟ୍ ପାୱାର ମିଳିଲା ନାହିଁ। ଆଉ ସେହି ସମୟରେ ମଧ୍ୟ ଦେଶରେ ଘୋର ବିଦ୍ୟୁତ୍ ସଂକଟ ଦେଖା ଦେଇଥିଲା । ଏହି ସମୟରେ ଇଡ୍ରୋ ଜେନେରେସନ ବଢ଼ାଇବା ସତ୍ତ୍ଵେ ମଧ୍ୟ ଏପ୍ରିଲ ୨୦୨୨ରେ ପ୍ରାୟ ୧୦ ରୁ ୧୨ ଦିନ ପାଇଁ ଆମକୁ ସାମୟିକ ଭାବେ ଅଧ ଘଣ୍ଟାରୁ ଏକ ଘଣ୍ଟା ପାଇଁ କିଛି ଅଞ୍ଚଳରେ ବିଦ୍ୟୁତ୍ କାଟ୍ କରିବାକୁ ପଡୁଥିଲା।

କିନ୍ତୁ ଏପ୍ରିଲ ତାରିଖରୁ କୌଣସି ଘୋଷିତ ବିଦ୍ୟୁତ୍ କାଟ୍ ହୋଇନାହିଁ। ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଆବଣ୍ଟନ କମ୍ପାନି ମାନଙ୍କୁ ବିଦ୍ୟୁତ୍ କାଟ୍ ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏବର୍ଷ ଗ୍ରୀଷ୍ମ ପ୍ରବାହ ଟିକେ ଅଧିକ ଥିବାରୁ ସର୍ବାଧିକ ଆବଶ୍ୟକ ସମୟରେ ବିଦ୍ୟୁତ୍ ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇଥିଲା ଓ ବିଗତ ବର୍ଷ ତୁଳନାରେ ସର୍ବାଧିକ ଆବଶ୍ୟକ ସମୟରେ ବିଦ୍ୟୁତ୍ ଚାହିଦା ହାରାହାରି ୪୦୦ ମେଗାୱାଟ୍ ଅଧିକ ରହିଥିଲା। ତତ୍ ସହିତ ବିଦ୍ୟାର୍ଥୀ ମାନଙ୍କର ବାର୍ଷିକ ପରୀକ୍ଷା ଥିବାରୁ ପରୀକ୍ଷା ସମୟରେ ଏବଂ ସନ୍ଧ୍ୟା ବେଳେ ସେମାନଙ୍କର ପାଠ ପଢାରେ ବ୍ୟାଘାତ ନଆସିବା ପାଇଁ ଆବଣ୍ଟନ କମ୍ପାନୀ ମାନଙ୍କୁ ବିଦ୍ୟୁତ୍ ନ କାଟିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ସରକାର ଗ୍ରୀଡକୋ ଜରିଆରେ ଏହି ନିଅଣ୍ଟକୁ ଭରଣା କରିବା ପାଇଁ ବିଦ୍ୟୁତ୍ ବଜାର (Power Exchange) ରୁ ୟୁନିଟ୍ ପିଛା ୧୨ ଟଙ୍କା ରୁ ୧୬ ଟଙ୍କା ଦରରେ କିଣି, ବିଦ୍ୟୁତ୍ ଆବଣ୍ଟନ କମ୍ପାନୀ ମାନଙ୍କୁ ହାରାହାରି ୟୁନିଟ୍ ପିନ୍ଧା ଟଙ୍କା ୩.୧୨ ରେ ଯୋଗାଇ ଦେଇଥିଲେ। କେତେକ ସ୍ଥାନରେ ବିଦ୍ୟୁତ୍ କାଟ୍ ର ଖବର ବିଭିନ୍ନ ମିଡିଆ ଓ ଲୋକ ପ୍ରତିନିଧି ମାଧ୍ୟମରେ ଆମର ହସ୍ତଗତ ହୋଇଛି। ଏହାକୁ ଦୃଷ୍ଟିରେ ରଖ୍ ଉପଭୋକ୍ତାଙ୍କ ସ୍ବାର୍ଥ ଦୃଷ୍ଟିରୁ ଆବଣ୍ଟନ କମ୍ପାନୀ ମାନଙ୍କୁ ଅତ୍ୟନ୍ତ ଜରୁରୀ ନଥିଲେ ରକ୍ଷଣାବେକ୍ଷଣକାର୍ଯ୍ୟ ହାତକୁ ନନେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଗତ ୩ ମାସ (April – June , ୨୦୨୨) ରେ ଗତ ବର୍ଷ ତୁଳନାରେ ୨୩ % ବିଦ୍ୟୁତ୍ ଚାହିଦା ବଢିଛି। ତଥାପି ଆମର ବଳିଷ୍ଠ ପଦକ୍ଷେପ ଯୋଗୁଁ ଆମେ ରାଜ୍ୟର ଜନ ସାଧାରଣଙ୍କୁ, ଶିଳ୍ପ ସଂସ୍ଥାକୁ, ଚାଷୀ ଭାଇ ମାନଙ୍କୁ ସୁଚାରୁରୂପେ ବିଦ୍ୟୁତ୍ ଯୋଗାଇଛୁ। ତେଣୁ ମୁଲତବୀ ପ୍ରସ୍ତାବରେ ଅଣାଯାଇଥିବା ଅଭିଯୋଗ ସଂପୂର୍ଣ୍ଣ ଅମୂଳକ। ଏହା ତଥ୍ୟ ଉପରେ ଆଧାରିତ ନୁହେଁ।

ରାଜ୍ୟରେ ବିଦ୍ୟୁତ କାଟ ପ୍ରସଙ୍ଗକୁ ନେଇ ବିରୋଧୀ ସଚେତକ ମୋହନ ଚରଣ ମାଝୀ ବିଧାନସଭାରେ ମୁଲତବୀ ପ୍ରସ୍ତାବରେ ଆଣିଥିଲେ। ‘ବିଦ୍ୟୁତ୍ ସଂସ୍କାର ଆଳରେ ଉପଭୋକ୍ତାମାନଙ୍କୁ ମହଙ୍ଗାମାଡ଼! ଘନ ଘନ ପାୱାର କଟ୍ ଲୋ ଭୋଲଟେଜ ଚୁଲିକି ଗଲାଣି ପିଲାଙ୍କ ପାଠ’ ବିଷୟରେ ସେ ସରକାରଙ୍କୁ ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲେ।

Get real time updates directly on you device, subscribe now.