ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଆଜି ଅପରାହ୍ନରେ କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ୫.୩୦ ରେ କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସମୀକ୍ଷା ସମୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ବହୁ ବରିଷ୍ଠ ଅଧିକାରୀ ଏଥିରେ ଉପସ୍ଥିତ ରହିବେ । ସମୀକ୍ଷା ପରେ ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।
ତେବେ ଆଜି ଦୈନିକ କରୋନା ସଂକ୍ରମଣ ୮ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୩୩୩ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୪୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୭୧ ଆକ୍ରାନ୍ତ ଥିବା ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୧୯, ଷ୍ଟେଟପୁଲରୁ ୭୧, ସୁନ୍ଦରଗଡରୁ ୮୦, ସମ୍ବଲପୁରରୁ ୩୦, ପୁରୀ ଓ ମୟୂରଭଞ୍ଜରୁ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୬, ୧୩୨କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୪୨୬୨ ରହିଛି । ୨୪ ଘଣ୍ଟା ମଧ୍ୟରେ ୪୨୦ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୮୨,୬୯୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।