ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ସର୍ବସାଧାରଣରେ ହତ୍ୟାରୁ ଶିକ୍ଷା ନେଇଛନ୍ତି ଭାରତ ସରକାର। ସେଥିପାଇଁ କେନ୍ଦ୍ର ସରକାର ଭିଭିଆଇପିଙ୍କ ସୁରକ୍ଷାକୁ ନେଇ ରାଜ୍ୟଗୁଡିକୁ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ପାଞ୍ଚ ପଏଣ୍ଟର ଏହି ଆଡଭାଇଜରିରେ ଭିଭିଆଇ ସୁରକ୍ଷାକୁ ନେଇ ହାଇ ଆଲର୍ଟରେ ରହିବାକୁ ପରାମର୍ଶ ଦିଆଯାଇଛି। ଆଗ ସହିତ ପଛରେ ମଧ୍ୟ ସୁରକ୍ଷା ଉପରେ ଧ୍ୟାନ ଦେବାକୁ କୁହାଯାଇଛି।
କେନ୍ଦ୍ର ସରକାର କହିଛନ୍ତି, ଭିଭିଆଇପି ମଞ୍ଚ ଉପରେ ବସିଥିଲେ ପଛରେ ଜଣେ ସୁରକ୍ଷାକର୍ମୀଙ୍କୁ ସମସ୍ତଙ୍କ ଉପରେ ନଜର ରଖିବାକୁ ମୁତୟନ କରାଯିବା ଉଚିତ୍। ବିଶେଷ କରି ରାଲିରେ ଏହି ବ୍ୟବସ୍ଥା ହେବା ଉଚିତ୍। ସାଧାରଣତଃ ଭିଭିଆଇପିଙ୍କ ସୁରକ୍ଷାରେ ଅଧିକ ଧ୍ୟାନ ଆଗ ପାର୍ଶ୍ଵରେ ଦିଆଯାଏ। ଏମିତିରେ ପଛ ଭାଗରେ ସୁରକ୍ଷାର ଅଣଦେଖା ସମ୍ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଦିଗ ଉପରେ ଧ୍ୟାନ ଦେଇଛନ୍ତି।
କେନ୍ଦ୍ର ସରକାର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭିଡରେ ଭିଭିଆଇଙ୍କ ନିକଟକୁ ଆସୁଥିବା ଲୋକଙ୍କୁ ଅଟକାଇବା ପାଇଁ କଡା ବ୍ୟବସ୍ଥା ହେବା ଉଚିତ୍। ଭିଭିଆଇପଙ୍କ ନିକଟକୁ କିଏ ଆସିବାକୁ ଚେଷ୍ଟା କରୁଛି ତା ଉପରେ କଡା ନଜର ରଖାଯିବା ଉଚିତ୍। ସୁରକ୍ଷାକର୍ମୀଙ୍କୁ ଏହା ମଧ୍ୟ ସୁନିଶ୍ଚିତ କରିବା ଉଚିତ୍ ଯେ, ଭିଭିଆଇପି ପରିଧିର ନିକଟକୁ ଯିବାକୁ କାହାକୁ ଅନୁମତି ଯେମିତି ଦିଆନଯାଏ। ଭିଭିଆଇପିଙ୍କ ନିକଟରେ ଥିବା ଲୋକଙ୍କ ସଂପୂର୍ଣ୍ଣ ଯାଞ୍ଚ ହେଉ। ସୁରକ୍ଷାକର୍ମୀ ସର୍ବଦା କାର୍ୟ୍ୟକ୍ରମ ସ୍ଥଳରେ ରହିବେ।
ଭିଭିଆଇପିଙ୍କ ସାମାନ ମଧ୍ୟ ଯାଞ୍ଚ କରାଯିବ, ବିଶେଷ କରି ସେହି ସମୟରେ ଯେତେବେଳେ କିଛି ମାରଣାସ୍ତ୍ର ମିଳିବାର ସମ୍ଭାବନା ଥିବ। ନୂତନ ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଭିଭିଆଇପିଙ୍କ ପରିଧିରେ ସୁରକ୍ଷାକର୍ମୀଙ୍କୁ ୩୬୦ ଡିଗ୍ରୀ ନଜର ରଖିବା ଉଚିତ୍। ଭିଭିଆଇପିଙ୍କ ଗସ୍ତ ପୂର୍ବରୁ ଆକସ୍ମିକ ମକ ଡ୍ରିଲ୍ କରାଯାଇ ସୁରକ୍ଷା ବ୍ୟବସ୍ଥା ପରଖା ଯାଉ।