fbpx

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟ ସମ୍ବର୍ଦ୍ଧନା: ଯିବା ସମୟରେ ଦେଲେ ଏପରି ଆହ୍ୱାନ

ନୂଆଦିଲ୍ଲୀ : ରବିବାର ମଧ୍ୟରାତ୍ରୀରେ ଶେଷ ହେବାକୁ ଯାଉଛି ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ଏଥିପୂର୍ବରୁ ଶନିବାର ସଂସଦର ସେଣ୍ଟ୍ରାଲ୍ ହଲ୍ରେ ଶ୍ରୀ କୋବିନ୍ଦଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ତାଙ୍କ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, ସବୁ ସାଂସଦଙ୍କ ପ୍ରତି ତାଙ୍କର ସ୍ୱତନ୍ତ୍ର ସମ୍ମାନ ରହିଛି । ଦଳଗତ ମନୋବୃତ୍ତିରୁ ଊଦ୍ଧ୍ୱର୍କୁ ଉଠି ସବୁଦଳ ଦେଶର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଜରୁରୀ । ସେ କହିଥିଲେ ଯେ, ମୁଁ ଆଜି ସମସ୍ତଙ୍କ ଠାରୁ ବିଦାୟ ନେଉଛି । ସମ୍ପୂର୍ଣ୍ଣ କ୍ଷମତା ସହକାରେ ମୋର କର୍ତ୍ତବ୍ୟ ସୂଚାରୁରୂପେ ନିର୍ବାହ କରିଛି । ଦେଶର ସେବା ପାଇଁ ମୋତେ ଯେଉଁ ସୁଯୋଗ ମିଳିଥିଲା ସେଥିପାଇଁ ଦେଶବାସୀଙ୍କ ନିକଟରେ ସବୁବେଳେ କୃତଜ୍ଞ ରହିବି ।

ସେ କହିଥିଲେ, ଠିକ୍ ଆଜକୁ ୫ ବର୍ଷ ପୂର୍ବେ ଆଜିର ଦିନରେ ସେ ଭାରତର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର । ଆଜି ଦେଶ ବିକାଶ ଦିଗରେ ଅଗ୍ରସର ହେଉଛି । ବିରୋଧୀ ଦଳଗୁଡ଼ିକୁ ମଧ୍ୟ ଜାତିଗତ ଓ ପରିବାରବାଦ ରାଜନୀତିରୁ ଊଦ୍ଧ୍ୱର୍କୁ ଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ତେବେ ଭାଷଣ ଦେବାବେଳେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଭାବବିହ୍ୱଳ ହୋଇପଡ଼ିଥିଲେ ।

ସେ କହିଥିଲେ, ଯଦି ଆପଣମାନେ ସରକାରଙ୍କ କୌଣସି ନୀତିକୁ ନେଇ ଅସହମତ ହେଉଛନ୍ତି ତେବେ ସମ୍ବିଧାନରେ ଆପଣଙ୍କୁ ବିରୋଧ ପ୍ରକଟ କରିବାର ଅଧିକାର ରହିଛି । ମହାତ୍ମା ଗାନ୍ଧି ବିରୋଧ ପ୍ରଦର୍ଶନ କରିବା ପାଇଁ ଦେଶକୁ ଅହିଂସାର ରାସ୍ତା ଦେଖାଇଥିଲେ । ଆମେ ତାଙ୍କ ବିଚାର ଓ ଶିକ୍ଷାକୁ ମନେ ପକାଇବାର ଆବଶ୍ୟକତା ରହିଛି । ସେ ଆହୁରି କହିଥିଲେ ଯେ, ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହ ସିଝୁଛି । ଆମ ସମସ୍ତଙ୍କୁ ମହାମାରୀ ଏକ ଶିକ୍ଷା ଦେଇଛି । ଆମେ ଭୁଲିଯାଇଛୁ ଯେ, ଆମେ ସମସ୍ତେ ପ୍ରକୃତିର ଅଂଶବିଶେଷ ବୋଲି ।

ସେ କହିଥିଲେ, ମୋର ହୃଦୟରେ ଅନେକ ସ୍ମୃତି ରହିଯାଇଛି । ଏହି ସଂସଦ ଭବନରେ ମୁଁ ଅନେକ ବର୍ଷ ବିତାଇଛି । ମୁଁ ଏହି ସେଣ୍ଟ୍ରାଲ୍ ହଲ୍ରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲି । ଆପଣ ସମସ୍ତଙ୍କୁ ଜଣେ ସାଂସଦ ହିସାବରେ ସମ୍ମାନ ରହିଛି । ତେବେ ରାଷ୍ଟ୍ରପତି ଭାବେ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ କୃତଜ୍ଞ ରହିବି । ଆପଣମାନଙ୍କ ସହଯୋଗରେ ସଠିକ୍ ଢଙ୍ଗରେ ମୁଁ ମୋ କାର୍ଯ୍ୟ ସମ୍ପାଦନ କରିଛି । ସମସ୍ତ ପୂର୍ବତନ ରାଷ୍ଟ୍ରପତି ମୋ ପାଇଁ ପ୍ରେରଣା ବୋଲି ସେ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ସମସ୍ତ ସାଂସଦ ଉପସ୍ଥିତ ଥିଲେ ।

ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ ତାରିଖ ସୋମବାର ପୂର୍ବାହ୍ଣ ୧୦ଟା ୧୪ ମିନିଟ୍ର ଦେଶର ୧୫ତମ ରାଷ୍ଟ୍ରପତି ଭାବେ ସେଣ୍ଟ୍ରାଲ୍ ହଲ୍ରେ ଶପଥ ଗ୍ରହଣ କରିବେ । ଏଥିନେଇ ସେଣ୍ଟ୍ରାଲ୍ ହଲ୍ରେ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ଓଡ଼ିଶାର ସମସ୍ତ ସାଂସଦ ଦ୍ରୌପଦୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ ।

Get real time updates directly on you device, subscribe now.