ନୂଆଦିଲ୍ଲୀ: ପତ୍ନୀଙ୍କୁ ସ୍ୱାମୀ ଦେଉଥିବା କଟାକ୍ଷକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ । ନିକଟରେ କେରଳ ହାଇକୋର୍ଟ କହିଛନ୍ତି ଯେ, ପତ୍ନୀଙ୍କ ଇଛା ପୂରଣ ନକରି ବାରମ୍ବାର କଟାକ୍ଷ କରିବା ଓ ତାଙ୍କୁ ଅନ୍ୟ ମହିଳାଙ୍କ ସହ ତୁଳନା କରିବା ଏକ ପ୍ରକାରର ମାନସିକ ନିର୍ଯ୍ୟାତନା । ଏପରି ଆଚରଣ ସହ୍ୟ କରିହେବନି ବୋଲି ୧୩ ବର୍ଷ ପୂର୍ବେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ଦମ୍ପତ୍ତିଙ୍କ ବିବାହ ବିଲୋପ ହୋଇଥିବା ବେଳେ କୋର୍ଟ କହିଛନ୍ତି । ଏହି ଦମ୍ପତିଙ୍କୁ ଛାଡପତ୍ର ଦେଇଥିବା ଫ୍ୟାମିଲି କୋର୍ଟଙ୍କ ଆଦେଶ ବିରୋଧରେ ସ୍ୱାମୀ ଏକ ଆବେଦନ କରିଥିଲେ ।
ମହିଳା ଜଣକ ତାଙ୍କ ପିଟିସନରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଭାବେ ଆକର୍ଷିତ କରୁନାହାଁନ୍ତି ।୨୦୦୯ ମସିହାରେ ବିବାହ କରିବା ଦିନଠାରୁ ସେ ତାଙ୍କ ପ୍ରତି ଘୃଣାଭାବ ରଖୁଛନ୍ତି । ‘ମୁଁ ଭେଟିଥିବା ମହିଳାଙ୍କ ତୁଳନାରେ ତମେ ଏତେ ବି ସୁନ୍ଦର ନୁହେଁ’ ବୋଲି ସ୍ୱାମୀ କହିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ବିବାହ ପରେ ସେମାନେ ପ୍ରାୟ ଏକ ମାସ ଏକାଠି ରହିଥିଲେ ।
ସ୍ୱାମୀଙ୍କ ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ, ସାମାଜିକ ଧାରଣା ଏବଂ ଜୀବନଧାରଣର ଉନ୍ନତି ଅନୁଯାୟୀ ପରିବର୍ତ୍ତନ ହେତୁ କ୍ରୁରତାର ବିସ୍ତୃତ ସଂଜ୍ଞା ପ୍ରଦାନ କରିବା କଷ୍ଟକର । ଅଦାଲତ କହିଛନ୍ତି ଯେ, ଲଗାତାର ଅସଦାଚରଣ, ବୈବାହିକ ସମ୍ପର୍କ ବନ୍ଦ କରିବା ଏବଂ ପତ୍ନୀଙ୍କୁ ଅପରିଷ୍କାର ବୋଲି କହିବା ଦ୍ୱାରା ଏହା ମାନସିକ କିମ୍ବା ଆଇନଗତ ନିଷ୍ଠୁରତାର କାରଣ ହେବ ।
ଶାରୀରିକ ନିଷ୍ଠୁରତାରେ ପ୍ରତ୍ୟକ୍ଷ ପ୍ରମାଣ ଥାଇପାରେ, କିନ୍ତୁ ମାନସିକ କ୍ରୁରତା କ୍ଷେତ୍ରରେ କିଛି ବି ପ୍ରମାଣ ନାହିଁ । ଏଭଳି ଅଭିଯୋଗ ପରେ ଜୀବନସାଥୀ ସାଥୀ ସହିତ ରହିବାକୁ ଆଶା କରାଯାଇପାରିବ ନାହିଁ । ମାନସିକ ନିଷ୍ଠୁରତା, ଅଶ୍ଳୀଳ ଭାଷା ବ୍ୟବହାର କରି ଅପମାନ କରିବା ଦ୍ୱାରା ଅନ୍ୟର ଶାନ୍ତି ଲଗାତାର ଭାବରେ ବ୍ୟାଘାତ ସୃଷ୍ଟି କରିଥାଏ ବୋଲି କୋର୍ଟ କହିଛନ୍ତି ।