fbpx

ଦିଲ୍ଲୀରେ ୧୧୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମିଳିବ ସରକାରୀ ଘର, ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରହୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଶୀଘ୍ର ୨୫୦ ସରକାରୀ ବାସଗୃହକୁ ସ୍ଥାନାନ୍ତର କରାଯିବ। ଏହି ବାସଗୃହଗୁଡିକରେ ମୋଟ୍ ୧୧୦୦ ଶରଣାର୍ଥୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ। ବୁଧବାର ଏହାର ଘୋଷଣା କରିଛନ୍ତି କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ। ସେ କହିଛନ୍ତି ଦିଲ୍ଲୀରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ବକ୍କରବାଲା ଅଞ୍ଚଳରେ ଇଡବ୍ଲ୍ୟୁଏସ ଫ୍ଲାଟଗୁଡିକରେ ରହିବାର ବ୍ୟବସ୍ଥା କରାଯିବ। ଏଥିରେ ଆନୁସଙ୍ଗିକ ସୁବିଧା, ୟୁଏନସିଏଚଆର ଆଇଡି ଏବଂ ଦିଲ୍ଲୀ ପୋଲିସଠୁ ୨୪ ଘଣ୍ଟା ସୁରକ୍ଷା ପ୍ରଦାନ କରାଯିବ।

ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଭାରତ ସର୍ବଦା ସେହି ଲୋକଙ୍କୁ ସ୍ଵାଗତ କରିଛି, ଯେଉଁମାନେ ଦେଶରେ ଶରଣ ମାଗିଛନ୍ତି। ଯେଉଁ ଲୋକେ ଭାରତର ଶରଣାର୍ଥୀ ନୀତିକୁ ଜାଣିଶୁଣି ସିଏଏ ସହ ଯୋଡି ଗୁଜ ପ୍ରଚାର କରି ନିଜର ପ୍ରଚାର କରିଛନ୍ତ, ସେମାନେ ଏଥିରେ ନିରାଶ ହେବେ। ଭାରତ ୟୁଏନ ଶରଣାର୍ଥୀ ସମ୍ମିଳନୀ ୧୯୫୧ର ସମ୍ମାନ ଏବଂ ଅନୁସରଣ କରିଥାଏ। ସମସ୍ତଙ୍କୁ ସେମାନଙ୍କର ଜାତି, ଧର୍ମ କିମ୍ବା ପନ୍ଥର ବିଚାର ନକରି ଶରଣ ପ୍ରଦାନ କରିଥାଏ।

ଦିଲ୍ଲୀ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି ଯେ, ରାଜଧାନୀର ମଦନପୁର ଖାଦରରେ ରହୁଥିବା ୧୧୦୦ ରୋହିଙ୍ଗ୍ୟା ଲୋକଙ୍କୁ ନୂଆଦିଲ୍ଲୀ ନଗରପାଳିକା ପରିଷଦ ଦ୍ଵାରା ବକରବାଲା ଗାଁରେ ଆର୍ଥିକ ଭାବେ ଦୁର୍ବଳ ଲୋକଙ୍କ ପାଇଁ ନିର୍ମିତ ୨୫୦ ଫ୍ଲାଟକୁ ସ୍ଥାନାନ୍ତର କରାଯିବ। ଏହି ବୈଠକରେ ଦିଲ୍ଲୀ ପୋଲିସ୍ ଏବଂ ଗୃହ ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ଏପରିକି ଦିଲ୍ଲୀ ପୋଲିସକୁ ଉକ୍ତ ଫ୍ଲାଟଗୁଡିକର ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ସରକାରର ସାମାଜିକ ବିକାଶ ମନ୍ତ୍ରଣାଳୟ ଏହି ଫ୍ଲାଟଗୁଡିକରେ ଫ୍ୟାନ, ତିନି ଓଳିର ଖାଇବା, ଲ୍ୟାଣ୍ଡଲାଇନ ଫୋନ, ଟେଲିଭିଜନ ଏବଂ ମନୋରଞ୍ଜନ ସୁବିଧା ଯୋଗାଇ ଦେବେ।

 

Get real time updates directly on you device, subscribe now.