fbpx

ତୁମ ବିନା ବଂଶୀର ଆବଶ୍ୟକ ନାହିଁ… କାହିଁକି ପ୍ରିୟ ବଂଶୀକୁ ଭାଙ୍ଗି ଦେଇଥିଲେ ଶ୍ରୀକୃଷ୍ଣ

ରାଧା ବିନା କୃଷ୍ଣ ଅଧା । ଏଣୁ ପୁରାଣ ଶାସ୍ତ୍ର ହେଉ ବା ଗୀତ ଗୋବିନ୍ଦ ସମସ୍ତ ସ୍ଥାନରେ ରାଧାଙ୍କ ସହ କୃଷ୍ଣଙ୍କ ନାମ ଯୋଡ଼ା ଯାଇଥାଏ । ମନ୍ଦିର ଏବଂ ସମସ୍ତ ସ୍ଥାନରେ ରାଧାକୃଷ୍ଣଙ୍କୁ ଏକାଠି ପୂଜା କରାଯାଇଥାଏ । ତେବେ ରାଧାଙ୍କ ମୃତ୍ୟୁ ପରେ ଏ ଦୁଇ ପ୍ରେମୀ ଅଲଗା ହୋଇଯାଇଥିଲେ । କିନ୍ତୁ ଆପଣ ଜାଣିଛନ୍ତି କି ରାଧାଙ୍କ ମୃତ୍ୟୁ ପଛର ରହସ୍ୟ? କଣ ଥିଲା ରାଧାଙ୍କ ଶେଷ ଇଚ୍ଛା । ରାଧା ଛାଡ଼ି ଚାଲିଯିବା ପରେ କିପରି ରହିଥିଲା କୃଷ୍ଣଙ୍କ ଅବସ୍ଥା ?

ପୁରାଣ କହେ, ଯେତେବେଳେ କୃଷ୍ଣଙ୍କୁ ମଥୁରାକୁ ଆମନ୍ତ୍ରଣ କରାଯାଇଥିଲା, ସେତେବେଳେ ପ୍ରଥମ ଥର ପାଇଁ କୃଷ୍ଣ ରାଧାଙ୍କଠୁ ଅଲଗା ହୋଇଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ହିଁ ଥିଲା, ଏଣୁ ପୁଣି ଥରେ ରାଧା ଏବଂ କୃଷ୍ଣଙ୍କର ମିଳନ ହୋଇଥିଲା । କୃଷ୍ଣଙ୍କୁ ଦେଖା କରିବା ପାଇଁ ତାଙ୍କ ଦ୍ୱାରକା ନଗରୀରେ ପହଞ୍ଚି ଯାଇଥିଲେ ରାଧାରାଣୀ । ସେଠାରେ କୃଷ୍ଣ, ରାଧାଙ୍କୁ ଦେଖି ଖୁବ୍ ପ୍ରସନ୍ନ ହୋଇଯାଇଥିଲେ । ଦୁହେଁ ସେଠାରେ ସାଙ୍କେତିକ ଭାଷାରେ ଅନେକ ସମୟ କଥା ହୋଇଥିଲେ । ପୁରାଣରେ ବର୍ଣ୍ଣିତ ଅଛି କି, ସେହି ସମୟରେ ଦ୍ୱାରକାରେ ରାଧାଙ୍କୁ କେହି ଚିହ୍ନି ନଥିଲେ । ତେଣୁ ରାଧାଙ୍କୁ କୃଷ୍ଣ ତାଙ୍କ ରାଜଭବନରେ ଦେବିକା ଭାବେ ନିଯୁକ୍ତ କରିଥିଲେ । ଏଣୁ ରାଧା ଦିନ ଯାକ ମହଲରେ ରହୁଥିଲେ ଏବଂ ମଝିରେ ମଝିରେ କୃଷ୍ଣଙ୍କୁ ଦେଖା କରୁଥିଲେ ।

କିନ୍ତୁ ବଦଳୁଥିବା ସମୟ ଏବଂ ବଢ଼ୁଥିବା ବୟସ ସହ ରାଧା, କୃଷ୍ଣଙ୍କୁ ଛାଡ଼ି ଯିବାକୁ ବାଧ୍ୟ ହୋଇଥିଲେ । ବିନା କୌଣସି ଲକ୍ଷ୍ୟରେ ରାଧା ବାହାରି ଯାଇଥିଲେ କୃଷ୍ଣଙ୍କ ରାଜଭବନରୁ । ଏକୁଟିଆ ଚାଲୁଥିବା ରାସ୍ତାରେ ହଠାତ ଏପରି ଏକ ମୂହୂର୍ତ୍ତ ଆସିଲା ଯେତେବେଳେ ରାଧା କୃଷ୍ଣଙ୍କ ଆବଶ୍ୟକତା ଲୋଡ଼ିଥିଲେ । ସେହି ସମୟରେ ରାଧା କୃଷ୍ଣଙ୍କୁ ସ୍ମରଣ କରିବା ମାତ୍ରେ ସେ ତାଙ୍କ ନିକଟରେ ଯାଇ ପହଞ୍ଚି ଯାଇଥିଲେ । କୃଷ୍ଣଙ୍କୁ ଦେଖି ରାଧାଙ୍କ ଖୁସିର ସୀମା ରହି ନଥିଲା । କିନ୍ତୁ ସେହି ସମୟରେ ରାଧା ମୃତ୍ୟୁର ଅତି ନିକଟତର ହୋଇପଡ଼ିଥିଲେ । କୃଷ୍ଣ ରାଧାଙ୍କୁ ତାଙ୍କର ଶେଷ ଇଛା ପଚାରିଥିଲେ କିନ୍ତୁ ରାଧା କିଛି କହିନଥିଲେ । ତେବେ ଶ୍ରୀକୃଷ୍ଣ ଏହି କଥାକୁ ଆଉ ଥରେ ପଚାରିବାରୁ ରାଧା ତାଙ୍କୁ ବଂଶୀ ବଜାଇବାକୁ ଅନୁରୋଧ କରିଥିଲେ ।

ଏହାପରେ କୃଷ୍ଣ ଶୋକଭରା ହୋଇ ମଧୁର ବଂଶୀ ବଜାଇଥିଲେ । ଯାହାକୁ ଶୁଣି ଶୁଣି ରାଧା ନିଜର ପ୍ରାଣ ତ୍ୟାଗ କରିଥିଲେ । ସେହି ସମୟରେ ରାଧାଙ୍କୁ ନିଜଠୁ ଅଲଗା ହେଉଥିବା ଦୁଃଖରେ ମ୍ରିୟମାଣ ଭାଙ୍ଗି ପଡିଥିଲେ କୃଷ୍ଣ । ଏହାକୁ ସହଜରେ ସେ ଗ୍ରହଣ କରି ପାରି ନଥିଲେ । ତେଣୁ ସେ କହିଥିଲେ, ହେ ପ୍ରାଣପ୍ରିୟା ରାଧେ! ଯଦି ମୋ ଜୀବନରେ ତୁମେ ନାହଁ, ତେବେ କ’ଣ ହେ ଏହି ବଂଶୀ ! କାହା ପାଇଁ ପାଜିବ ଏହି ବେଣୁ? ତୁମେ ନାହଁ ମାନେ ଏହି ବଂଶୀର ମଧ୍ୟ କୌଣସି ଆବଶ୍ୟକତା ନାହିଁ । ଏହା କହି ନିଜ ପ୍ରିୟର ବଂଶୀକୁ ଭାଙ୍ଗି ଦେଇଥିଲେ ଭଗବାନ କୃଷ୍ଣ ।

Get real time updates directly on you device, subscribe now.